ବାରିପଦା: ଗୋଚର ଜମି ଜବରଦଖଲକୁ ନେଇ ନାବାଳକକୁ ଜଘନ୍ୟ ହତ୍ୟାକାଣ୍ଡ । ମୋରଡା ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ପଞ୍ଚାୟତ ଅଧିନ ମହୁଲବଣୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମହୁଲବଣୀ ଗ୍ରାମରେ ଥିବା ଗୋଚର ଜାଗାରେ ରଘୁନାଥ ମହାନ୍ତ ଘର କରି ବାଡ ଘେରି ଦୀର୍ଘ ୧୦ ବର୍ଷ ଧରି ରହି ଆସୁଛନ୍ତି । ଉକ୍ତ ଗ୍ରାମର କୋମଲ ଲୋଚନ ମହାନ୍ତ ରଘୁନାଥ ମହାନ୍ତଙ୍କ ବାଡ ଉଠାଇ ଜାଗା ଜବର ଦଖଲ ପାଇଁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଗତକାଲି(ଗୁରୁବାର) ଦିନ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ସନ୍ଧ୍ୟା ସମୟରେ ଗୋଚର ଜାଗାରେ ଥିବା ଘରେ ରଘୁନାଥ ମହାନ୍ତ ନଥିବାବେଳେ ତାଙ୍କ ନାତି ହରେକୃଷ୍ଣ ମହାନ୍ତ ଶୋଇଥିଲେ । ହଠାତ ନିଶାଶକ୍ତ ଅବସ୍ଥାରେ କୋମଲ ଲୋଚନ ମହାନ୍ତ ଜତିନ୍ଦ୍ର ମହାନ୍ତ ଓ ସଭାକର ମହାନ୍ତ ପହଞ୍ଚି ରଘୁନାଥ ମହାନ୍ତଙ୍କ ନାତୀକୁ ଧମକ ଦେଇଥିଲେ ।
ଏହାପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ବଢିଥିଲା । ନିଶାସକ୍ତ ଅବସ୍ଥାରେ ଥିବା 3 ଜଣ ଯୁବର ଉକ୍ତ ନାବଳକକୁ ମାରପିଟ କରିବାରୁ ସେ ଘର ଛାଡି ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଉକ୍ତ 3 ଜଣ ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ପରେ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଗୁରୁତର ହରେକୃଷ୍ଣଙ୍କୁ କିଷାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ମୋରଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥିବାବେଳେ ମୁଖ୍ୟ ଅଭିଯୁକ୍ତ କୋମଲ ଲୋଚନ ମହାନ୍ତ ଫେରାର ଅଛି । ତେବେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ