ବାରିପଦା: ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ଏହି ବନ୍ଦ(12 hour Mayurbhanj bandh) ଡାକରା ଦିଆଯାଇଛି । ଫଳରେ ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ୧୮ ନମ୍ବର ଜାତୀୟ ରାଜପଥରେ ଗାଡି ମଟର ଚଳାଚଳ ବନ୍ଦ ରହିଥିବା ବେଳେ ବାରିପଦା ସହରରେ ଦୋକାନ ବଜାର ବନ୍ଦ ରହିଛି ।
ଆଦିବାସୀ ସଂଗଠନ ମାସା ଆର୍ମୀ ପକ୍ଷରୁ ପିକେଟିଂ କରି ବନ୍ଦ ପାଳନ କରାଯାଉଛି । ବସ୍, ଟ୍ରକ ଇତ୍ୟାଦି ଗାଡି ଚଳାଚଳ ବନ୍ଦ ରହିଛି । ଆଦିବାସୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ ସଂଗଠନର ଦାବି ଅନୁଯାୟୀ, ଜିଲ୍ଲାରେ ୨୦୦୭ରେ ରାଜ୍ୟ ସରକାର ୧୦୦ଜଣ ଅଲିଚିକି କମ୍ୟୁନିଟି ମୋବିଲାଇଜର ଓ ୨୦୦୯ରେ ୨୦ଜଣ ମୁଣ୍ଡାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ସ୍ୱଳ୍ପ ଦରମା ପାଉଥିବା ସତ୍ତ୍ବେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି ।
ଏହାମଧ୍ୟ ପଢନ୍ତୁ: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ: ଆଇଜି ଓ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ
ଦୀର୍ଘ ୧୫ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଯୋଗୁଁ ସରକାର ତାଙ୍କୁ ନିୟମିତ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଆଦିବାସୀ-ମୂଳବାସୀ ମଞ୍ଚ' ଓ 'ଜିଲ୍ଲା ପେସା ଗ୍ରାମସବା ସମନ୍ୱୟ କମିଟି', 'ମାସା ଆର୍ମି' 'ମାଝୀ ପାର୍ଗାନା ମାହଲ, ମୁଣ୍ଡାରୀ ସମାଜ ସାୱାର ଜାମଡା, ଭଞ୍ଜସେନା ଆଦିବାସୀ ଶାଖାର ମିଳିତ ଆହ୍ୱାନକ୍ରମେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି (Mayurbhanj bandh today) ।
ଇଟିଭି ଭାରତ, ମୟୂରଭଞ୍ଜ