ମାଲକାନଗିରି: ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କ ମୁହଁରେ ବିଷ୍ଠା ବୋଳିଲେ ଗ୍ରାମବାସୀ । ନିସ୍ତୁକ ମାଡ଼ ମାରି ଗରମ ପାଣିରେ ହାତ ବୁଡ଼ାଇଦେଲେ । ମାଲକାନିଗିରି ଜିଲ୍ଲା ମେଟାଗୁଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହିଳା ଜଣକ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ 6 ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।
ଏହା ମଧ୍ୟ ପଢ଼ନ୍ତୁ: Merry Christmas: ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ, ଚାରିଆଡେ ସେଲିବ୍ରେସନ
ଅଭିଯୋଗ ଅନୁଯାୟୀ, ଗତ ସୋମବାର ମାଲକାନଗିରି ଥାନା ଅନ୍ତର୍ଗତ ମେଟାଗୁଡା ଗ୍ରାମର ଶ୍ୟାମ ସୁକ୍ରିଙ୍କ ପତ୍ନୀ ହାଟକୁ ଯାଇ ଘରକୁ ଫେରିବା ପରେ ଗ୍ରାମବାସୀ ଗୁଣିଗାରେଡି କରୁଥିବା ନେଇ ନିସ୍ତୁକ ମାଡ ମାରିଥିଲେ । ପରେ ଗ୍ରାମବାସୀ ତାଙ୍କ ମୁହଁରେ ବିଷ୍ଠା ବୋଳି ଦେଇଥିଲେ । ଖାଲି ସେତିକି ନୁହେଁ, ଗରମ ପାଣିରେ ମହିଳାଙ୍କ ହାତକୁ ବୁଡାଇ ଦେଇଥିଲେ ଗ୍ରାମବାସୀ । ଯାହା ଫଳରେ ତାଙ୍କ ହାତ ଗରମ ପାଣିରେ ପୋଡି ଯାଇଥିଲା । ଏନେଇ ମାଲକାନଗିରି ଥାନାରେ ଆସି ଏତଲା ଦେଇଥିଲେ । ଉକ୍ତ ମହିଳାଙ୍କ ସ୍ବାମୀ ଶ୍ୟାମ ଅଦା ବ୍ୟବସାୟ ପାଇଁ ବାହାରକୁ ଯାଇଥିଲେ । ସେ ଘରକୁ ଫେରିବା ପରେ ପତ୍ନୀଙ୍କର ଏଭଳି ଅବସ୍ଥା ଦେଖି ତୁରନ୍ତ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO
ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଗ୍ରାମର 6 ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି । ମେଟାଗୁଡା ଗ୍ରାମର ଶ୍ୟାମ ହନ୍ତାଳ, ଧନପତି ହନ୍ତାଳ, ରାମଚନ୍ଦ୍ର ହନ୍ତାଳ, ସମାରୀ ଚାଲାଣ, ସନୁ ଚାଲାଣ, ପ୍ରତିମା ସୁଗ୍ରୀ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଜଣାପଡିଛି । ପତ୍ନୀ ଘରେ ଏକୁଟିଆ ଥିବାରୁ ଗ୍ରାମବାସୀ ଏଭଳି ମିଥ୍ୟା ଅଭିଯୋଗ କରି ମାରପିଟ କରିବା ସହ ଦୁର୍ବ୍ୟବହାର କରିଥିବା ସ୍ବାମୀ ଶ୍ୟାମ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି