ମାଲକାନଗିରି: ବଜ୍ରାଘାତର ଶିକାର ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ପାଣ୍ଡ୍ରିପାଣି ଅଞ୍ଚଳର ରାଉଳି ଗୁଡ଼ା, ବାଉଁଶ ଗୁଡ଼ା ଗାଁର ବାସିନ୍ଦା । ମୃତକ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ସକାଳୁ ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ତେବେ ସେହି ସମୟରେ କିଛି ଲୋକ ବିଲରେ କାମ କରୁଥିଲେ । ବଜ୍ରାଘାତ କାରଣରୁ ଘଟଣା ସ୍ଥଳରେ ଦୁଇ ଜଣ ମହିଳାଙ୍କର ମୃତ୍ୟ ଘଟିଥିଲା । ସେହିପରି ବଜ୍ରାଘାତ ପ୍ରଭାବରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଦ୍ବାରା ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଏ ଘଟଣା ବାବଦରେ ମମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଡାକ୍ତର କହିଛନ୍ତି, "ବଜ୍ରାଘାତ ସମୟରେ ବିଲରେ ୫ ଜଣ କାମ କରୁଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ତିନିଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କର ଚିକିତ୍ସା ଜାରି ରହିଛି । ସେମାନଙ୍କୁ ମେଡିସିନ ଦିଆଯାଇ ଠିକ ଭାବରେ ଚିକିତ୍ସା କରାଯାଉଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।"
ସେପଟେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ କହିଛନ୍ତି "ସକାଳୁ ସକାଳୁ ୫ ଜଣ ବିଲକୁ ଯାଇଥିଲେ । ହଠାତ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ସେମାନଙ୍କ ଏପରି ଅବସ୍ଥା ଦେଖି ଅମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନ୍ସ ସାହାଯ୍ୟରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖା ଯାଇନଥିଲା । ପରେ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଆଡମିଟ କରାଯାଇ ସେମାନଙ୍କ ଚିକିତ୍ସା ଜାରି ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।"
ବଜ୍ରାଘାତରେ ମୃତ୍ୟୁ ଘଚିଥିବା ଦୁଇ ଜଣ ମହିଳାଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଇଟିଭି ଭାରତ, ମାଲକାନଗିରି