ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ଶିକ୍ଷାର ଶିକ୍ଷଣୀୟ ଚିତ୍ର । ଶିକ୍ଷାର ପ୍ରସାର ଉନ୍ନତି ପାଇଁ ଅଗ୍ରସର ସିଆରସିସି ଓ ଶିକ୍ଷକ । ନାଚି ଗାଇ ନିଆରା ଢଙ୍ଗରେ ପାଠ ପଢାଉଛନ୍ତି ଶିକ୍ଷକ, ତ ଅନ୍ୟପଟେ ଘୋଡ଼ା ପିଠିରେ ଯାତ୍ରା କରି ସ୍କୁଲ ପରିଦର୍ଶନ ସହ ତଦାରଖ କରୁଛନ୍ତି ସିଆରସିସି । ପାହାଡ ପର୍ବତ, ଦୁର୍ଗମ ରାସ୍ତା ପାର କରିବା ପାଇଁ ଘୋଡା ଚଢି ବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଯାଉଛନ୍ତି ସିଆରସିସି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳର ଏ ହେଉଛି ବିରଳ ତଥା ଅନୁକରଣୀୟ ଚିତ୍ର ।
ବିଛିନ୍ନାଞ୍ଚଳରେ ସ୍ବାଭିମାନର ଚେହେରା । ଶିକ୍ଷକ ଓ ଜଣେ ସିଆରସିସିଙ୍କ କର୍ତ୍ତବ୍ୟକୁ ଦେଖିରଲେ କର୍ତ୍ତବ୍ୟ ପାଇଁ ଗର୍ବ ଅନୁଭବ କରୁଛି । ଏମିତି କିଛି ଚିତ୍ର ଯାହାକୁ ଆପଣ ମଧ୍ୟ ଦେଖିଲେ କହିବେ ସାର ହେବ ତ ଏମିତି । ଦୀର୍ଘ 4 ଦଶନ୍ଧି ଧରି ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳର ଶିକ୍ଷକ ମାନେ ଅନେକ ବାହାନା କରି ଶିକ୍ଷାଦାନ ଦୁରେଇ ରୁହନ୍ତି । କାରଣ ଏଠାକୁ ଯିବାକୁ ହେଲେ ନା ଅଛି ପକା ସଡ଼କ ନା ଅଛି ଅନ୍ୟ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ।
ଏହାସହ ଅକାତ କାତ ପାଣି ଭିତରେ ରହିଛି 100ରୁ ଉର୍ଦ୍ଧ୍ବ ଗ୍ରାମ । କିନ୍ତୁ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରିବା ପରେ ବଦଳିବାରେ ଲାଗିଛି ଏହାର ଚିତ୍ର । ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ପାପରମେଟଲା ପଞ୍ଚୟତ ଜନ୍ତାପାଇ ସ୍କୁଲର ଶିକ୍ଷକ ହରିହର ବେହେରା ଓ ସେଠାକାର ସିଆରସିସି ସାଧନ ସରକାର ।
ଏହି ଅଞ୍ଚଳକୁ କୌଣସି ଶିକ୍ଷକ ନିୟମିତ ଶିକ୍ଷାଦାନ ନିମନ୍ତେ ଯାଉନଥିବା ବେଳେ ହରିହର ବେହେରା କିନ୍ତୁ ପ୍ରତିଦିନ ନିଜ ବିଦ୍ୟାଳୟକୁ ଯିବା ସହ ଅଭିନବ ଢଙ୍ଗରେ ନାଚି ନାଚି ଗୀତ ଗାଇ ଗାଇ ପିଲାଙ୍କୁ ପାଠ ପଢ଼ନ୍ତି । ଏପରି ପକ୍ଷରେ ଶିକ୍ଷକ ବିଦ୍ୟାଳୟକୁ ଯାଉଛନ୍ତି ନା ନାହିଁ ତାହା ଜାଣିବା ପାଇଁ ମଧ୍ୟ ସେଠାକାର ସିଆରସିସି ସାଧନ ସରକାର ଘଡାରେ ଚଢ଼ି ଓ ପାଣି ଭିତରେ ପଶି ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ ସମ୍ପର୍କରେ ବୁଝନ୍ତି ।
ପୂର୍ବରୁ ଏହି ସ୍ବାଭିମାନ ଅଞ୍ଚଳରେ ଶିକ୍ଷକ ଅସୁନଥିବା ଓ ପଢାପଢି ହେଉନଥିବା ଅଭିଯୋଗ କରି ଆଦିବାସୀ ମେଳି କରାଯାଇଥିଲା ହେଲେ ଏବେ ଏଭଳି ଚିତ୍ର ସ୍ବାଭିମାନ ଅଞ୍ଚଳରୁ ସାମ୍ନାକୁ ଆସିବାରୁ ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ଘୋଡାରେ ଯାଇ ନଦୀ ପାର ହୋଇ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଏବେ ସମସ୍ତ ସ୍କୁଲକୁ ଯାଉଥିବା ନଜରକୁ ଆସୁଛି।
ଏମିତି ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ , ତଥା ଅଧିକାରୀ ଅଛନ୍ତି ଯେଉଁମାନେ କର୍ତ୍ତବ୍ୟ ପାଇଁ ପ୍ରତିକୂଳ ପରିସ୍ଥିତି, ବାଧାବିଘ୍ନ, ବିପଦପୂର୍ଣ୍ଣ ରାସ୍ତା, ନଦନଦୀକୁ ପାର କରି ପାଦରେ ଆଡେଇ ଶିକ୍ଷାଦାନ ପାଇଁ ସଦାସର୍ବଦା ତତ୍ପର ଥାନ୍ତି । ଏହିମାନଙ୍କ ପାଇଁ ସ୍ବାଭିମାନ ଅଞ୍ଚଳର ଶିକ୍ଷକ ଓ ସିଆରସିସିଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନକୁ ନେଇ ସ୍ବାଭିମାନ ଅଞ୍ଚଳ ସହ ମାଲକାନଗିରି ଜିଲ୍ଲାରେ ଉଭୟ ପ୍ରଶଂସାର ପାତ୍ର ହୋଇଛନ୍ତି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ