ମାଲକାନଗିରି: ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଭିନ୍ନ ପ୍ରୟାସ । ଏମାନେ ଆମେ ଘରୁ ଫିଙ୍ଗି ଦେଉଥିବା ଅଳିଆ ଆବର୍ଜନାକୁ କରିଛନ୍ତି ପୁନଃ ଉପଯୋଗୀ । ପଚାସଢା ବିଭିନ୍ନ ପ୍ରକାରର ଆବର୍ଜନାରୁ ଜୈବିକ ସାର ପ୍ରସ୍ତୁତ କରି ମାଟିରେ କ୍ଷତିକାରକ ରାସାୟନିକ ପଦାର୍ଥର ବ୍ୟବହାରକୁ ରୋକିଛନ୍ତି । ଏହାସହିତ ନିଜେ ମଧ୍ୟ ହୋଇପାରିଛନ୍ତି ସ୍ବାବଲମ୍ବୀ । ସବୁଠୁ ବଡ଼ କଥା ହେଉଛି ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି ପାଠୁଆ ପିଲା । ଘରୁ ଦୈନିକ ବାହାରୁଥିବା ଓଦା ଓ ଶୁଖିଲା ଅଳିଆରୁ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ।
ପୂର୍ବରୁ ଏହି ବର୍ଜ୍ୟବସ୍ତୁଗୁଡ଼ିକ ଏଣେତେଣେ ପଡ଼ି ରହୁ ପରିବେଶକୁ ଦୂଷିତ କରିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିଲା । ତେବେ ସେହି ବର୍ଜ୍ୟବସ୍ତୁରୁ ଏବେ ତିଆରି ହେଉଛି ଜୈବିକ ସାର । ମାଲକାନଗିରି ପୌରପରିଷଦ ଦ୍ବାରା ପରିଚାଳିତ ହେଉଛି ଜିଲ୍ଲାର ସମ୍ପଦ କେନ୍ଦ୍ର ବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର । ପ୍ରତିଦିନ ସକାଳେ ମହିଳା ସ୍ବେଚ୍ଛା କର୍ମୀମାନେ ଘରକୁ ଘର ବୁଲି ବ୍ୟାଟେରୀ ଚାଳିତ ଗାଡିରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା କରି ସଂଗ୍ରହ କରୁଛନ୍ତି । ଆଉ ଏଠାରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳମାମାନେ ଓଦା ଅଳିଆ ଯଥା ପନିପରିବା, ଘାସ ପତ୍ରକୁ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ସାର ତିଆରି କରୁଛନ୍ତି ।
ଓଦା ଅଳିଆକୁ ପ୍ରଥମେ ଭଲ ଭାବରେ ବଛାଯାଇ ପ୍ରଥମେ ସେଗୁଡିକ ମେସିନ ସାହାଯ୍ୟରେ ଗୁଣ୍ଡ କରାଯାଉଛି । ଆଉ ସେହି ଗୁଣ୍ଡକୁ ଏପରି ୧୪ଟି କୁଣ୍ଡରେ ୪୫ ଦିନ ଧରି ରଖାଯାଇ ଦହି ଓ ଗୁଡ ଦ୍ବାରା ପ୍ରସ୍ତୁତ ଏକ ସ୍ବତନ୍ତ୍ର ତରଳ ପଦାର୍ଥ ମିଶ୍ରଣ କରାଯାଏ । ଏହି ଗୁଣ୍ଡକୁ ୪୫ ଦିନ ଦିନ ଧରି କୁଣ୍ଡରେ ରଖାଯାଇ ପୁଣି ତାକୁ ଭଲ ଭାବରେ ଶୁଖାଯାଇ ଶେଷରେ କ୍ରସିଂ ମେଶିନରେ ପକାଯାଇ ଜୈବିକ ସାର ବାହାର କରିଥାନ୍ତି ମହିଳାମାନେ । ଫଳରେ ସ୍ବଚ୍ଛ ଭାରତ ମିଶନ ଏମାନଙ୍କୁ ଦେଉଛି ରୋଜଗାର ।
ସେହିପରି ଶୁଖିଲା ବର୍ଜ୍ୟବସ୍ତୁକୁ ମାଟେରିଆଲ ରିକଭରି ଫାସିଲିଟିରେ ରଖି ସେଗୁଡିକ ଅଲଗା ଅଲଗା କରି ଏହି ମେସିନ ସାହାଯ୍ୟରେ କମ୍ପ୍ରେସ କରି କବାଡି ବାଲାଙ୍କୁ ବିକ୍ରି କରାଯାଉଛି । ଆଉ ଏହି ପ୍ରକଳ୍ପରେ ସିଧାସଳଖ ଭାବେ ମିଶନ ଶକ୍ତିର ୧୦ ଜଣ ମହିଳା ନିଯୁକ୍ତି ପାଇ ଥିବା ବେଳେ ପରୋକ୍ଷରେ ୪୦ ଜଣ ସ୍ବେଚ୍ଛାକର୍ମୀ ବ୍ୟାଟେରୀ ଚାଳିତ ଗାଡିରେ ନିୟୋଜିତ ହେଉଛନ୍ତି । ଲକଡାଉନ ସମୟରେ ମାଲକାନଗିରି ପୌରପରିଷଦ ପକ୍ଷରୁ ମୁଣ୍ଡାଗୁଡାଠାରେ ଦେଢ କୋଟି ଟଙ୍କା ବ୍ୟୟରେ ଏହି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା ।
ପ୍ରତିଦିନ ଏଠାରେ ୩ରୁ ୪ କ୍ବିଣ୍ଟାଲ ଜୈବିକ ସାର ପ୍ରସ୍ତୁତ ହେଉଥିବା ବେଳେ କିଲୋ ପିଛା ୨୦ ଟଙ୍କା ଦରରେ ଏହି ଖତକୁ ବିଭିନ୍ନ ସରକାର ଓ ବେସରକାରୀ ଅନୁଷ୍ଠାନ ଓ ଚାଷୀ ମାନେ କିଣି ନେଉଛନ୍ତି । ଆଉ ଦୈନିକ ୬ରୁ ୮ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ ମାସକୁ ଆୟ ହୁଏ ୧ରୁ ଦେଢ ଲକ୍ଷ ଟଙ୍କା । ସବୁଠୁ ବଡକଥା ହେଲା ଏଠି ପାଠୁଆ ଝିଅମାନେ ମଧ୍ୟ ସାମିଲ ହୋଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ