ମାଲକାନଗିରି : ଗଛରେ ଗାମୁଛା ଲଗାଇ ଜୀବନ ହାରିଲେ ଶିକ୍ଷକ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସିମିଳିବାଞ୍ଚା ପଞ୍ଚାୟତ ଅନ୍ତର୍ଗତ ଏମଭି ୭୦ ଗ୍ରାମର ଶିକ୍ଷକ କରିଛନ୍ତି ଆତ୍ମହତ୍ୟା । ମୃତ ଶିକ୍ଷକଙ୍କ ନିକଟରୁ ଚାରି ପୃଷ୍ଠାର ସୁଇସାଇଡ଼ ନୋଟ ଜବତ ହୋଇଛି । ମୃତ ଶିକ୍ଷକ ହେଲେ ଏହି ଗ୍ରାମର ରବିନ୍ଦ୍ର ନାଥ ସାନା ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିନ୍ଦ୍ର ନାଥ ସାନା ଏମପିଭି ୭୦ ଗ୍ରାମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ହେଲେ ବୁଧବାର ରାତିରେ ସେ କୌଣସି କାରଣରୁ ଗାଁ ଠାରୁ ପ୍ରାୟ ୫ ଶହ ମିଟର ଦୂର ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକ ତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।
ଏହାପରେ ମୃତ ଶିକ୍ଷକ ରବିନ୍ଦ୍ର ସାନାଙ୍କ ବଡ଼ ଭାଇ ଏମଭି ୭୯ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତି ଜାରି ରଖିଛି । ସୁଇସାଇଡ୍ ନୋଟରେ ଉଲ୍ଲେଖ ଜଣେ ବ୍ୟକ୍ତିଙ୍କ ନାମରେ ଏକ ବର୍ଷ ପୂର୍ବେ ମୃତ ରବୀନ୍ଦ୍ରନାଥ ସାନା ଏକ କାର କିଣିଥିଲେ । ଉକ୍ତ କାରଟିକୁ ତାଙ୍କ ଭାଇଙ୍କ ଶଳା ନେଇ ଚଳାଉଥିବା ବେଳେ ଫାଇନାନ୍ସ ପଇସା ଆଦୌ ଜମା କରୁ ନଥିଲେ । ଫଳରେ ଉକ୍ତ ଗାଡିର ଫାଇନାନ୍ସ ପଇସା ଶିକ୍ଷକଙ୍କ ଦରମାରୁ କଟୁଥିଲା ।
ଏ ନେଇ ତାଙ୍କ ଭାଇଙ୍କ ଶଳା ଏବଂ ତାଙ୍କ ପରିବାର ଲୋକଙ୍କୁ ବହୁବାର କହିବା ପରେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ । ଶେଷରେ ନିରାଶ ହୋଇ ଶିକ୍ଷକ ଜଣକ ଆତ୍ମହତ୍ୟା କରିଥିବା ଉକ୍ତ ସୁଇସାଇଡ୍ ନୋଟରେ ଉଲ୍ଲେଖ ଥିବା ଜଣାପଡିଛି । ସୁଇସାଇଡ୍ ନୋଟ ଜବତ ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରୋହନ ଖୁଜୁର ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ