ମାଲକାନଗିରି: ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ହୋଇଥିଲା ବ୍ୟାଟେରୀ ଚାଳିତ ଗାଡ଼ି । ଏହି ଗାଡ଼ରେ ନିୟମିତ ଅଳିଆ ସଂଗ୍ରହ ମଧ୍ୟ ହେଉଥିଲା । କିନ୍ତୁ ଥରେ ଗାଡ଼ି ଖରାପ ହେବାପରେ ଆଉ ସେଥିପ୍ରତି ଗୁରୁତ୍ଵ ଦିଆଗଲା ନାହିଁ । ଯାହାଫଳରେ ଅଳିଆ ସଂଗ୍ରହ ଗାଡ଼ି ଏବେ ଅଳିଆରେ ପରିଣତ ହୋଇସାରିଲାଣି । ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ବାସହୀନ ଆଶ୍ରୟସ୍ଥଳୀରେ ଏହି ଗାଡ଼ି ଗୁଡ଼ିକ ୫-୭ ମାସ ହବ ପଡ଼ି ରହିଥିବା ବେଳେ ସହରର ୧୯ଟି ୱାର୍ଡରୁ ନିୟମିତ ଆବର୍ଜନା ସଂଗ୍ରହ ହୋଇପାରୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକ ।
୨୦ଟି ମଧ୍ୟରୁ ୧୪ଟି ଗାଡ଼ି ସଂପୂର୍ଣ୍ଣ ଅଚଳ: ମାଲକାନଗିରି ପୌରପାଳିକା ୧୯ଟି ୱାର୍ଡକୁ ନେଇ ଗଠିତ । ଏଥିରେ ପ୍ରାୟ ୯ ହଜାର ଘର ରହିଥିବା ବେଳେ ସହରର ଜନସଂଖ୍ୟା ପାଖାପାଖି ୪୦ ହଜାର ହେବ । ସହରରୁ ପ୍ରତିଦିନ ୧୦ ଟନ୍ରୁ ଅଧିକ ଆବର୍ଜନା ବାହାରୁଛି । ଏତେ ପରିମାଣରେ ଆବର୍ଜନାକୁ ବାହାର କରି ଅନ୍ୟସ୍ଥାନକୁ ନେବା ପାଇଁ ୨୦୨୧ ମସିହାରେ ପୌରପାଳିକା ପକ୍ଷରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ୨୦ଟି ବ୍ୟାଟେରୀ ଚାଳିତ ଗାଡ଼ି କିଣା ହୋଇଥିଲା । ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ଏହାର ପରିଚାଳନା ଦାୟିତ୍ଵ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା । ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଗାଡି ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ଏମ୍ସିସି ସେଣ୍ଟରକୁ ନେଉଥିଲେ । କିନ୍ତୁ ଗୋଟିଏ ପରେ ଗୋଟିଏ ଗାଡ଼ି ଖରାପ ହୋଇଥିଲେ ସୁଦ୍ଧା ମରାମତି କିମ୍ବା ନୂଆ ଗାଡ଼ି କିଣିବା ବ୍ୟବସ୍ଥା କରାଗଲାନାହିଁ । ୨୦ଟି ମଧ୍ୟରୁ ୧୪ଟି ଗାଡ଼ି ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି । ଯାହା ଫଳରେ ୧୪ଟି ଗାଡିରେ କାମ କରୁଥିବା ୨୮ ଜଣ ମହିଳା ବର୍ତ୍ତମାନ ଘରେ ବସି ରହିଥିବା କହିଛନ୍ତି ସମାଜସେବୀ ।
ବିଗିଡ଼ିବାରେ ଲାଗିଛି ପରିମଳ ବ୍ୟବସ୍ଥା: ସେହି ଭଳି ସହରର ପ୍ରତି ୬ ଶହ ଘର ପାଇଁ ଗୋଟିଏ ଲେଖାଏଁ ଗାଡ଼ି ଯୋଗାଇ ଦିଆଯାଇଥିଲା । ପ୍ରତି ଗାଡ଼ି ଦାୟିତ୍ବରେ ଦୁଇ ଜଣ ମହିଳା ରହିଥିଲେ । ତେବେ ଗାଡ଼ି ଗୁଡ଼ିକ ଖରାପ ହେବାପରେ ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ୬ଟି ଗାଡ଼ି ଉପରେ ସଂପୂର୍ଣ୍ଣ ସହରର ଆବର୍ଜନା ଉଠାଇବା ଭାର ପଡ଼ିବା ପରେ ଦିନ ଦିନ ଧରି କିଛି ସ୍ଥାନରେ ଆବର୍ଜନା ପଡ଼ି ରହୁଛି । ୧୪୵୧୫ଟି ଗାଡି ଆଜିକୁ ପ୍ରାୟ ୫ ମାସ ହେବ ଖରାପ ହୋଇ ପଡିରହିଥିଲେ ମଧ୍ୟ ଗାଡି ଗୁଡିକୁ ମରାମତି କରାଯାଉନଥିବା କିମ୍ବା ନୂତନ ଗାଡି ଆଣାନଯିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ବଚ୍ଛତା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରିବା ସତ୍ତ୍ବେ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନଥିବାରୁ ଏଥିପ୍ରତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବିକରିଛନ୍ତି ସମାଜସେବୀ ତଥା କଂଗ୍ରେସ ନେତା ବି ଶ୍ରୀନିବାସ ରାଓ ।
'ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖା ହୋଇଛି': ଏନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, "୨୦ଟି ଗାଡି ମଧ୍ୟରୁ ୧୨ଟି ଗାଡି ଖରାପ ରହିଛି ଏବଂ ୮ଟି ଗାଡି ଚାଲୁଛି । ଗାଡି ଗୁଡିକ ମରାମତି ପାଇଁ ପୌରପାଳିକା ଓ ମାଥିଲି ଆଇଟିଆଇ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଯେଉଁ ଗାଡି ଖରାପ ହେବ ସେହି ସବୁ ଗାଡି ଗୁଡିକୁ ମାଥିଲି ଆଇଟିଆଇ ଟ୍ରେନିଂ ପିଲା ମରାମତି କରିବେ । ଗାଡି ଖରାପ ହେବା ପରେ ସେମାନଙ୍କୁ ଅବଗତ କରାଯାଇଥିଲା । ପରେ ଆଇଟିଆଇ ପିଲାମାନେ ଆସି ଦେଖି ଯାଇଥିଲେ ସୁଦ୍ଧା ମରାମତି ହୋଇପାରିନାହିଁ ।" ସେଥିପାଇଁ ବାହାରେ ଗାଡିର ମରାମତି ପାଇଁ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟାଳୟକୁ ଚିଠି କରିଥିବା କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ । ଗାଡି ତିଆରି ହେବା ପରେ ଅଳିଆ ସଂଗ୍ରହ ସ୍ବଭାବିକ ହେବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ମାଲକାନଗିରି