ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ସୀମାଗୁଡ଼ି ସ୍ଥିତ ୫୦ଏକର ଜମିକୁ ନେଇ ସେଠାକାର ଆଦିବାସୀ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଛି । ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଏସ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା କରିବାକୁ ଉକ୍ତ ଜମି ଇଡ୍କୋ ପାଇଁ ଚୟନ କରିଛନ୍ତି । କିଛି ଦିନ ତଳେ ଏହାର ମାପଚୁପ କରାଯାଇଥିଲା । କିନ୍ତୁ ସିମେଣ୍ଟ ଫ୍ୟାକ୍ଟ୍ରି ନିମନ୍ତେ ଇଡ୍କୋ ଉକ୍ତ ଜମି ଚୟନ କରିଥିବା ଅଭିଯୋଗ କରିଛି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ।
ସୂଚନାଯୋଗ୍ୟ ଯେ ଏସ୍ଏସ୍ଏମ୍ଇ ପାର୍କ ନିମନ୍ତେ ଜାତୀୟ ରାଜପଥ କଡରେ ମାଲକାନଗିରିର ସିନ୍ଧିମାଳ ରାଜସ୍ବ ସର୍କଲ ଅଧୀନ ସୀମାଗୁଡି ମୌଜା ଅଞ୍ଚଳରେ ପ୍ରାୟ ୫୦ ଏକର ଜମିକୁ ଚିହ୍ନଟ କରାଯାଇଥିଲା । ଇଡ୍କୋ ଏହି ଜମି ଚିହ୍ନଟ କରି ମାପଚୁପ କରିବା ଦିନ ସ୍ଥାନୀୟ ଆଦିବାସୀ ବିରୋଧ କରିଥିଲେ | ପୁଲିସ ଫୋର୍ସ ଉପସ୍ଥିତିରେ ଜମି ମାପଚୁପ କରିବାକୁ ପ୍ରଶାସନ ବାଧ୍ୟ ହୋଇଥିଲା । ଯାହାକୁ ସିନ୍ଧିମାଳ, ଚମ୍ପାନଗର, ସୀମାଗୁଡି, ଚମ୍ପାଖାରୀ, ଦୋରାଗୁଡା ଗ୍ରାମର ଲୋକେ ବିରୋଧ କରି କିଛି ଦିନ ତଳେ ଆଦିବାସୀ ମେଳି କରିଥିଲେ | ଇଡ୍କୋ କୌଣସି ପରିସ୍ଥିତିରେ ଆଦିବାସୀଙ୍କ ହକ୍କୁ ଛଡାଇ ନେଇପାରିବ ନାହିଁ ବୋଲି ଆଲୋଚନା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ... ଆଦିବାସୀଙ୍କ ଜମି ବିକ୍ରି ବିବାଦ: ରାଉରକେଲାରେ ଜେଏମଏମ ଓ ଆଦିବାସୀ ସଂଘର ବିକ୍ଷୋଭ
ସେହି ଜମିରେ ରହିଥିବା ଜଙ୍ଗଲରୁ କେନ୍ଦୁପତ୍ର, ଜଙ୍ଗଲଜାତ ଦ୍ରବ୍ୟ, ମହୁଲ ଫୁଲ, ଜାଲେଣି କାଠ ଆଣି ସଂଗ୍ରହ କରି ଜୀବିକା ଅର୍ଜନ କରୁଛନ୍ତି । ଗୃହପାଳିତ ପଶୁଙ୍କ ପାଇଁ ଗୋଚର ଜମି ଭାବେ ବ୍ୟବହାର କରାଯାଉଛି । କୌଣସି ପ୍ରକଳ୍ପ ନିର୍ମାଣ ହେଲେ ଧୂଆଁ ଏବଂ ଧୂଳି ହୋଇ ପରିବେଶ ପ୍ରଦୂଷଣ ହେବା ଜଳଭଣ୍ଡାର ପାଣି ଦୂଷିତ ହୋଇ ନିକଟସ୍ଥ ଗ୍ରାମବାସୀ ରୋଗାକ୍ରାନ୍ତ ହେବେ । ଏହି ଜମିକୁ ସିମେଣ୍ଟ କାରଖାନା ନିମନ୍ତେ ହସ୍ତାନ୍ତର କରିବାକୁ ସରକାର ଚକ୍ରାନ୍ତ କରୁଥିବା ବି ଆଦିବାସୀ ମେଳିରେ ଆଲୋଚନା ହୋଇଥିଲା । ଆଦିବାସୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଜି ସଂଗ୍ରାମର ରୂପ ନେଇଥିଲା ।
ଆଦିବାସୀ ମହାସଂଘ ଡାକରାରେ ଶହଶହ ଆଦିବାସୀ ମାଲକାନଗିରି ବସଷ୍ଟାଣ୍ଡରୁ ଶୋଭାଯାତ୍ରାର ବାହାରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କାର୍ଯ୍ୟାଳୟରେ ବିରୋଧରେ ସ୍ଲୋଗାନ୍ ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲା ଦାବିପତ୍ରକୁ ଗ୍ରହଣ କରିଥିଲେ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ସମ୍ପାଦକ ହରିବନ୍ଧୁ ଗୋଲରୀ, ଦେବେନ୍ଦ୍ର ଖିଲ, ଦଶରଥ ଗୋଲରୀ, ଲାକମା ଦୁଧି, ସମ୍ବାରୁ ନାଇକ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ମାଲକାନଗିରି