ମାଲକାନଗିରି: ସରକାରୀ ଡାକ୍ତରଖାନାରେ ବେସରକାରୀ ଭଳି ସୁବିଧା ସୁଯୋଗ । ତାହାବି ପୁଣି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ । କଥାଟି ଶୁଣିଲେ ଆପଣଙ୍କୁ ଆଶ୍ଟର୍ଯ୍ୟ ଲାଗୁଥିବ ନିଶ୍ଚିନ୍ତ । ହେଲେ ବାସ୍ତବରେ ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।
ଡାକ୍ତରଖାନା ଚାରିପଟେ ଔଷଧୀୟ ବୃକ୍ଷ ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନ ପରିବେଶ । ସଫାସୁତୁରା ରୁମ୍ ସହିତ ଚକାଚକ ବେଡ । ବିଭିନ୍ନ ସ୍ଥାନରେ ସିସିଟିଭି । ଏହା ସହିତ ଆଦିବାସୀ ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ଟିଭିରେ ସଚେତନତାର ବାର୍ତ୍ତା ।
ଖାଲି ସେତିକି ନୁହେଁ, ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଡାକ୍ତରଖାନାରେ କାର୍ଯ୍ୟରତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିବା ପାଇଁ ପ୍ରତିଦିନ ସକାଳେ ଏଠାରେ ଯୋଗାସନ ମଧ୍ୟ କରାଯାଉଛି । ପୁର୍ବରୁ କୋରୁକୋଣ୍ଡା ଅଞ୍ଚଳର ଗରିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଲାଗି ଜିଲ୍ଲା ସଦର ଚିକିତ୍ସାଳୟ କିମ୍ବା ବାହାର ରାଜ୍ୟକୁ ଯିବାକୁ ପଡୁଥିଲା ହେଲେ ବର୍ତ୍ତମାନ କିନ୍ତୁ ରୋଗୀଙ୍କ ପ୍ରଥମ ପ୍ରସନ୍ଦ ନିଜ ଗାଁ ପାଖରେ ଥିବା ଏହି କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ।
ଏଠାରେ ଘରୋଇ ମେଡିକାଲ ପରି ରୋଗୀ ମାନେ ଟେବୁଲ ଚେୟାରରେ ବସି ଖାଇ ପାରୁଥିବାବେଳେ 24 ଘଣ୍ଟା ଧରି ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ଦେଉଛନ୍ତି ଏଠାରେ ଥିବା ଡାକ୍ତର । ଏକ ଉତ୍ତମ ପରିବେଶ ଭିତରେ ମାଗଣା ଔଷଧ ସାଙ୍ଗକୁ ମାଗଣା ଖାଦ୍ୟ ଖାଇ ରୋଗମୁକ୍ତ ହୋଇ ଘରକୁ ଫେରୁଛନ୍ତି ଅନେକ ରୋଗୀ ।
କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ହରବାଲ ଗାର୍ଡେନ ଓ ନିର୍ମଳ ପରିବେଶ ପାଇଁ ଏହାକୁ ଜାତୀୟ ସ୍ତରରେ ପୁରଷ୍କୃତ କରିବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁପାରିସ କରିଥିବା ଜଣାପଡିଛି । ତେବେ ଉପାନ୍ତ ଅଞ୍ଚଳରେ ଏପରି ସ୍ବାସ୍ଥ୍ୟସେବା ସତରେ ଲୋକଙ୍କୁ ଅନ୍ଧ ବିଶ୍ବାସର ଘନ ଅନ୍ଧାରରୁ ଆଣି ସ୍ବାସ୍ଥ୍ୟ କେନ୍ଦ୍ର ମୁହାଁ କରିବ ବୋଲି ଆଶା ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ