ମାଲକାନଗିରି:ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଘଟିଥିବା ଦୁଃଖଦ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦାରିଦ୍ର୍ୟର ତାଡନାରେ ନିଜର 4 ମାସର ଛୁଆକୁ ବିକ୍ରି କରିଦେବା ପରେ ମଧ୍ୟ ନିଜର ପରିବାରର ପ୍ରତିପୋଷଣ କରିନପାରି ଶେଷରେ ଆତ୍ମହତ୍ୟା କରିଥିଲେ ସୋମନାଥ। ବର୍ତ୍ତମାନ ବିକ୍ରି କରିଥିବା ଛୁଆକୁ ଖୋଜି ବାହାର କରିଛି ପ୍ରଶାସନ ।
ପ୍ରକାଶଥାଉକି, ସୋମନାଥଙ୍କର ୫ଟି ସନ୍ତାନ। ସେଥିମଧ୍ୟରୁ 4ଟି ପୁଅ ଓ ଗୋଟିଏ ଝିଅ। ୫ଟି ପିଲା ମଧ୍ୟରୁ 4 ମାସର ପୁଅ ରାଜାକୁ ଅନ୍ୟତ୍ର ସୋମନାଥ ବିକ୍ରି କରିଦେଇଥିଲେ। ବଳକା 4 ପିଲା ମଧ୍ୟରୁ ପ୍ରଶାସନ ତିନି ପୁଅକୁ ନେଇ ଶିଶୁ ଭବନରେ ରଖିବା ସହ ଝିଅକୁ ମାଆ ପାଖରେ ଛାଡିଦେଇଥିଲେ। ସୋମନାଥର ଦଶାହ କାର୍ଯ୍ୟ ସରିଲେ ଝିଅକୁ ମଧ୍ୟ ଶିଶୁ ଭବନରେ ଛଡାଯିବ ବୋଲି କୁହାଯାଇଛି। ତେବେ 4 ମାସର ଶିଶୁକୁ କେଉଁଠି ବିକ୍ରି କରାଯାଇଛି ସେନେଇ ପ୍ରଶାସନ କୌଣସି ଖୋଜ ଖବର ପାଇପାରିନଥିଲା। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଶେଷରେ କୁଡୁମୁଲୁଗୁମ୍ମାରୁ ତହସିଲଦାରଙ୍କ ଉପସ୍ଥିତିରେ ବିକ୍ରି ଶିଶୁକୁ ଉଦ୍ଧାର କରାଯାଇଛି।
ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଶିଶୁ ଉଦ୍ଧାର ନେଇ ସୂଚନା ଦେବା ସହ ଶିଶୁକୁ ମେଡିକାଲ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ ପରେ ସିଡବ୍ଲୁସି ନିକଟରେ ହାଜର କରାଯାଇ ଶିଶୁକୁ କେଉଁଠି ଛଡାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଶିଶୁକୁ କିଣିଥିବା ବ୍ୟକ୍ତି ଜଣକ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଚୁପ ରହିଥିଲେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି । ଏନେଇ ଓର୍କେଲ ଥାନାରେ ଏତଲା ଦାୟର ହୋଇଥିବା ଜଣାପଡିଛି। ସୋମନାଥଙ୍କ ପତ୍ନୀ କୁନି ଖିଲ ପିଲାମାନଙ୍କୁ ପୋଷିପାଳିପାରିବେ ନାହିଁ ବୋଲି ସଫା ସଫା କହିଦେଇଥିଲେ। ରୋଜଗାରିଆ ସ୍ବାମୀ ଚାଲିଯିବା ପରେ ସେ ଏବେ ଅସହାୟ ହୋଇପଡିଛନ୍ତି। ପିଲାମାନଙ୍କୁ ବଡ କରିବା ପାଇଁ ତା ପାଖରେ ସମ୍ବଳ ନଥିବା ସେ କହିଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ