ମାଲକାନଗିରି: ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ । ଆଜି(ଗୁରୁବାର) ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଦେଖିବାକୁ ମିଳିଛି । ତେବେ ଗତ କିଛିଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ ରଚାଯାଇଥିବା ଅନୁମାନ କରାଯାଉଛି ।
ଗତ ମଧ୍ୟରାତ୍ରିରେ ପାଖାପାଖି ୨.୩୦ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ବାସଭବନ ପଛପଟୁ କିଛି ଦୁର୍ବୃତ୍ତ ଆସି ପେଟ୍ରୋଲ ପକାଇ ଘରକୁ ଜାଳିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଅଧିକାରୀଙ୍କ ଝିଅଙ୍କର ହଠାତ ନିଦ ଭାଙ୍ଗିବାରୁ ସେ ଧୂଆଁ ବାହାରୁଥିବା ଦେଖିଥିଲେ । ପରେ ଅଧିକାରୀ ଏବଂ ତାଙ୍କ ଝିଅ ବାହାରକୁ ଆସି ଦେଖିଲା ବେଳକୁ ଘର ଚାରି କଡରେ ନିଆଁ ହୁତୁହୁତୁ ହୋଇ ଜଳୁଛି । ପରେ ଫୋନରେ ଯୋଗାଯୋଗ କରିବା ପରେ ଏନଏସି କିଛି କର୍ମଚାରୀ ଏବଂ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କ ବାସଭବନରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ଓର୍କେଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଇଟିଭି ଭାରତ, ମାଲକାନଗିରି