ମାଲକାନଗିରି: ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଜିଲ୍ଲାରେ ପାଳିତ ହୋଇଛି ପଥୋତ୍ସବ। ସହରର ବାଲିମେଳା ଛକ ମୁଖ୍ୟରାସ୍ତାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ସମସ୍ତେ ମିଶି ଏହି ଉତ୍ସବକୁ ଧୁମଧାମରେ ପାଳନ କରିଥିଲେ ।
ବିଶେଷ କରି ରାଜରାସ୍ତାରେ କୁନି କୁନି ପିଲାଙ୍କ ସ୍କେଟିଂ ଓ ମହିଳାଙ୍କ ସହ କିନ୍ନର ମାନଙ୍କ ରଙ୍ଗୋଲି ଚିତ୍ର ଦେଖଣାହାରୀଙ୍କ ମନ ମୋହୁଥିଲା । ବିଭିନ୍ନ ବିଦ୍ୟାଳୟ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କଳାକୃତି ସାଙ୍ଗକୁ ପାରମ୍ପରିକ ଆଦିବାସୀ ଲୋକନୃତ୍ୟ ବେଶ ମନଛୁଆଁ ହୋଇପାରିଥିଲା ।
ରାଜ ରାସ୍ତାରେ ତୀରନ୍ଦାଜି ଭଳି ଅନେକ ଖେଳ ସାଙ୍ଗକୁ ବରିଷ୍ଠ ନାଗରିକଙ୍କ ଯୋଗାଭ୍ୟାସ ପଥୋତ୍ସବକୁ ଚାରଚାନ୍ଦ ଲଗାଇଥିଲା । ପ୍ରଶାସନ ପକ୍ଷରୁ ମଧ୍ୟ ସଡକ ସୁରକ୍ଷା ଜୀବନ ରକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ ଆଇନ, ସ୍ବଚ୍ଛ ଭାରତ ଭଳି ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ କରାଯାଇ ଜିଲ୍ଲାବାସୀଙ୍କୁ ଏକ ନିଆରା ବାର୍ତ୍ତା ଦିଆଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଉପସ୍ଥିତ ଥିଲେ । ରବିବାରର ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବିଡିଓ ଗୁଣନିଧି ନାୟକ ପରିଚାଳନା କରିଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ମଧ୍ୟ ଉପସ୍ଥିତ ଥିଲେ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ