ମାଲକାନଗିରି: ପୁଣି ବଜ୍ରାଘାତ ନେଲା ଜୀବନ । ବର୍ଷାରୁ ବଞ୍ଚିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି 74 ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ମହିଳା ହେଲେ ସେହି ଗାଁର ଅପରାଜିତା ମଣ୍ଡଳ ଓ ଗୁରୁତର ହେଲେ ବବିତା ତରଫଦାର ।
ସୂଚନା ଅନୁଯାୟୀ, ଅପରାଜିତା ଓ ବବିତା ଜମିରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ଝଡବର୍ଷାରୁ ରକ୍ଷା ପାଇବା ପାଇଁ ଉଭୟେ ଏକ ଗଛ ତଳକୁ ଚାଲିଯାଇଥିଲେ । ହେଲେ ବଜ୍ରାଘାତ ହେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ । ଆଜି ଚିକିତ୍ସାଧିନ ଅବସ୍ଥାରେ ଅପରାଜିତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ