ମାଲକାନଗିରି: କାଲିମେଳା ବ୍ଲକ ଅଞ୍ଚଳରୁ ଜିଲ୍ଲା ପରିଷଦ ଜୋନ-୨ର ବିଜେପି ପ୍ରାର୍ଥୀ ନିଖୋଜ ଘଟଣା । ମିଳିଲା ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସିଙ୍କ ଠିକଣା । ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶିତ ଏକ ସରକାରୀ ପ୍ରେସ ନୋଟ୍ ମାଧ୍ୟମରେ ମାଲକାନଗିରି ଜିଲ୍ଲା ପୋଲିସ ସୂଚନା ଦେଇଛି ଯେ ରାତି ପ୍ରାୟ 8.00 ସମୟରେ କବାସିଙ୍କ ସ୍ଥାନ ଚିହ୍ନଟ ହୋଇଛି । ସେ ନିରାପଦରେ ଅଛନ୍ତି ଏବଂ ସେ ନିଜ ଇଚ୍ଛାରେ ଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ:ମାଲକାନଗିରିରେ BJP ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ !
କବାସି ନିଖୋଜ ଥିବା ନେଇ କାଲିମେଳା ପୋଲିସ ଷ୍ଟେସନରେ ବିଜେପି ଏକ ଲିଖିତ ଅଭିଯୋଗ କରିଥିଲା । ଏହାପୂର୍ବରୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସହ-ସଂଯୋଜକ ନିର୍ବାଚନ ନିୟନ୍ତ୍ରକ ତଥା ରାଜ୍ୟ ଆଇନ ସମୀକ୍ଷକ ରବି ଶଙ୍କର ପଟ୍ଟନାୟକ ଜାନୁଆରୀ 24 ତାରିଖରୁ ରୀନା କବାସି ନିଖୋଜ ଥିବା ଅଭିଯୋଗ କରି ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ । ପଟ୍ଟନାୟକଙ୍କ ରିପୋର୍ଟ ପରେ କାଲିମେଳା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଜାନୁଆରୀ 24 ତାରିଖରୁ ରୀନା କବାସିଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିଲା । ତାଙ୍କ ନିଖୋଜ ହେବା ନେଇ କବାସିଙ୍କ ପିତାମାତା କିମ୍ବା ପରିବାର ସଦସ୍ୟଙ୍କଠାରୁ କୌଣସି ଅଭିଯୋଗ ଗ୍ରହଣ କରାଯାଇ ନଥିବା ପୋଲିସ କହିଥିଲା । ଘଟଣାରେ ଛାନଭିନ୍ ଚାଲିଥିବାବେଳେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷର ନିଖୋଜ ପ୍ରାର୍ଥୀଙ୍କୁ ଠାବ କରିଛି ମାଲକାନଗିରି ପୋଲିସ ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ