ମାଲକାନଗିରି: ରାଞ୍ଚିରୁ ଜଣେ ନାବାଳିକା ଉଦ୍ଧାର। ମାଲକାନଗିରି ଜିଲ୍ଲା ବାଲିମେଳାର ଜଣେ ନାବାଳିକା ରାଞ୍ଚିରୁ ଉଦ୍ଧାର ହୋଇଥିବା ଜଣାପଡିଛି। ବାଲିମେଳା ପୋଲିସ ସହ ଯୋଗାଯୋଗ କରି ରାଞ୍ଚିରୁ ନାବାଳିକାକୁ ଉଦ୍ଧାର କରାଯିବା ପରେ ନାବାଳିକାକୁ ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା। ନାବାଳିକାଙ୍କ ମା’ଙ୍କୁ ଡାକି ନାବାଳିକାକୁ ହସ୍ତାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ବାଲିମେଳାର ଲକ୍ଷ୍ମଣ ଶିଶାଙ୍କର ଚାରି ଝିଅ। ଲକ୍ଷ୍ମଣ ଏବଂ ତାଙ୍କର ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବା ପରେ ଦୁହେଁ ଅନ୍ୟତ୍ର ରହୁଥିଲେ। ତେବେ ଏହି ଦମ୍ପତିଙ୍କ ଦ୍ବିତୀୟ କନ୍ୟା ଯିଏ କି ନବମ ଶ୍ରେଣୀରେ ପାଠ ପଢନ୍ତି, ସେ ଘରେ ଗଣ୍ଡଗୋଳ ଯୋଗୁଁ ଘରୁ ବାହାରି ଯାଇ ନିଜ ଆଈ ଘର ଉମରକୋଟକୁ ଚାଲିଯାଇଥିଲେ।
ପାଖରେ ଟଙ୍କା ନଥିବାରୁ ବହୁ କଷ୍ଟରେ ସେ ସେଠାରେ ପହଞ୍ଚିଥିଲେ। ତେବେ ସେଠାରୁ ପୁଣି ସେ ଘରକୁ ଫେରିବା ପାଇଁ ଚାହୁଁଥିବା ବେଳେ ତାଙ୍କୁ ଭୁଲବଶତଃ ରାୟପୁର ଗାଡିରେ କେହି ବସାଇ ଦେଇଥିଲା। ଯାହାଫଳରେ ସେ ରାୟପୁର ପହଞ୍ଚି ଯାଇଥିଲେ।
ତେବେ ରାଞ୍ଚି ଅଞ୍ଚଳର କିଛି ମହିଳା ତାଙ୍କୁ ରାଞ୍ଚି ଗଲେ ଓଡିଶା ପାଇଁ ବସ ମିଳିବ ବୋଲି କହିବା ପରେ ସେ ଟ୍ରେନରେ ରାଞ୍ଚି ପହଞ୍ଚିଯାଇଥିଲେ। ତେବେ ସେଠାରେ କୌଣସି ବସ ନମିଳିବାରୁ ବାପାଙ୍କୁ ଫୋନ କରିଥିଲେ। ରାଞ୍ଚି ପୋଲିସ ନିକଟରେ ପହଞ୍ଚି ସବୁ କଥା ନାବାଳିକା କହିଥିଲେ।
ପରେ ବାଲିମେଳା ପୁଲିସ ସହ ଯୋଗାଯୋଗ କରି ନାବାଳିକାକୁ ଉଦ୍ଧାର କରାଯାଇଛି। ନାବାଳିକାକୁ ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା। ନାବାଳିକାଙ୍କ ମା’ଙ୍କୁ ଡାକି ନାବାଳିକାକୁ ହସ୍ତାନ୍ତର କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ