ମାଲକାନଗିରି : ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ଦୁର୍ଗମ ନାକାମାମୁଡି ପଞ୍ଚାୟତରେ ନକ୍ସଲ ପ୍ରବଣ ତଥା ଅପହଞ୍ଚ ଗ୍ରାମ ଆମଲିବେଡାକୁ ପ୍ରଥମ ଥର ଏକ ଡାକ୍ତିରୀ ଦଳ ପହଞ୍ଚିଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଧନେଶ୍ବର ମହାପାତ୍ର,ରଜନୀକାନ୍ତ ଦାସ,ତନ୍ମୟ ବାଚାର,ଆଲୋକ ମାଝି,ଡାକ୍ତର ସାମଲ ପ୍ରମୁଖ ଆମଲିବେଡା ଗ୍ରାମରେ ପହଞ୍ଚି ସେବା ଯୋଗାଇ ଥିଲେ । ମ୍ୟାଲେରିଆ ଦମନ ନେଇ ଏହି ଟିମ କାମ କରୁଥିବା ଜଣାପଡିଛି ।


ବର୍ଷା ଋତୁ ଆସୁଥିବାବେଳେ ଦୁର୍ଗମ ଗ୍ରାମ ଗୁଡିକରେ ମ୍ୟାଲେରିଆ ବ୍ୟାପିବା ସ୍ବାଭାବିକ ହୋଇଥିବାବେଳେ ଡାକ୍ତରୀ ଦଳ ପକ୍ଷରୁ ଏହାର ଦମନ ନେଇ ପୂର୍ବ ପ୍ରସ୍ତୁତି କରାଯାଇଛି । ଗ୍ରାମରେ ଡିଡିଟି ସିଞ୍ଚନ କରାଯାଇଥିବାବେଳେ ଗ୍ରାମର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ଏହି ଗ୍ରାମକୁ ସ୍ବାଧୀନତାର 7 ଦଶନ୍ଧି ପରେ କୌଣସି ଏକ ସ୍ବାସ୍ଥ୍ୟ ସେବା ଦଳ ପହଞ୍ଚିଥିବାରୁ ଗ୍ରାମବାସୀଙ୍କ ଖୁସି କହିଲେ ନସରେ। ଆଗାମୀ ଦିନରେ ଏଭଳି ସମସ୍ତ ଦୁର୍ଗମ ଗ୍ରାମକୁ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ