ମାଲକାନଗିରି: ସଦର ମହକୁମାରେ ତିନିଦିନ ବ୍ୟାପୀ ମା’ ନାକଟେଶ୍ଵରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୩ ତାରିଖ ଦିନ ଠାରୁ ଆରମ୍ଭ ହୋଇଥିବା ଏହି ନାଟକେଶ୍ବରୀ ଯାତ୍ରାର ଆଜି(ମଙ୍ଗଳବାର) ଶେଷ ଦିନ ହୋଇଥିବାବେଳେ ଦ୍ବିତୀୟ ଦିନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ କରି ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ମଧ୍ୟ ବହୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା ।
ଏହି ନାକଟେଶ୍ଵରୀ ଯାତ୍ରାରେ ପ୍ରଥମେ ରାତ୍ର ୮ ଟାରେ ସହର ନିକଟବର୍ତ୍ତୀ ବହୁ ଦେବାଦେବୀଙ୍କ ଲାଠି ଆସି ମା’ ମାଉଲିମା ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରେ ମା’ ନାକଟେଶ୍ଵରୀଙ୍କ ସିଂହାସନ ସହ ଏହି ସମସ୍ତ ଲାଠି ଗୁଡିକ ବାହାରି ସହର ପରିକ୍ରମା କରିଥିଲେ । ସହର ପରିକ୍ରମାରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଲାଠି ଅର୍ଥାତ୍ ବିଭିନ୍ନ ଦେବାଦେବୀ ପରିଭ୍ରମଣ କରି ରାତ୍ର ୧୧.୩୦ରେ ନାକଟେଶ୍ଵରୀ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା ହେବା ପରେ ଲାଠି ଗୁଡିକୁ ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଥିଲା । ମନ୍ଦିର ନିକଟରେ ଲାଠି ଦେବତା ମାନଙ୍କ ସହ ଏହି ଅଞ୍ଚଳର ପ୍ରସିଦ୍ଧ ସିରା ମାନେ ଆସି ଦେବୀମାନଙ୍କ ବାଦ୍ୟ ଓ ମହୁରି ତାଳ ତାଳରେ ସିରା ନାଚ ନାଚିଥିଲେ ।
ଗତକାଲି ଯାତ୍ରାର ଦ୍ବିତୀୟ ଦିନରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ କରି ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ମଧ୍ୟ ବହୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ତେବେ ଦୀର୍ଘ ଦୁଇବର୍ଷ ଧରି କୋରୋନା ମହାମାରୀ ଯୋଗୁଁ କୋରୋନା କଟକଣା ମଧ୍ୟରେ ଗତବର୍ଷ ବଡ଼ଯାତ୍ରା ଓ ତା ’ ପୂର୍ବବର୍ଷ ନାକଟେଶ୍ଵରୀ ଯାତ୍ରା ମଧ୍ୟ ଏହି କଟକଣା ମଧ୍ୟରେ ଥିବାରୁ କେବଳ ବିଧିବଦ୍ଧ ଭାବେ ମା’ଙ୍କ ନିକଟରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଥିଲା ।
ଦୀର୍ଘ ଦୁଇବର୍ଷ ପରେ ଚଳିତ ବର୍ଷ ପୁନର୍ବାର ଧୁମଧାମରେ ଏହି ଯାତ୍ରା ପାଳନ କରାଯାଉଥିବାରୁ ଚଳିତବର୍ଷ ଭକ୍ତଙ୍କ ଭିଡ ଅଧିକ ଥିବା ପରିଲକ୍ଷିତ ହୋଇଥିଲା । ଏଥିସହ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ଲାଠି ଦେବତାଙ୍କ ଭିଡ଼ ଅଧିକ ଥିବାବେଳେ ମୀନା ବଜାରର ଆୟୋଜନ କରାଯାଇ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଫଳରେ ଶ୍ରଦ୍ଧାଳୁ ବେଶ୍ ଖୁସି ଥିବା ଜଣାପଡିଛି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ