ମାଲକାନଗିରି: ପୋଲିସ ମୁଣ୍ଡବିନ୍ଧାର କାରଣ ସାଜିଥିବା ମାଓ କମାଣ୍ଡର ଦୁଲା ମାଡକାମୀ ଆଜି (ଶୁକ୍ରବାର) ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଦୁଲାଙ୍କ ନିଜ ଘର ଛତିଶଗଡର ସୁକୁମା ଜିଲ୍ଲାରେ । ପୂର୍ବରୁ ଓଡିଶା ସରକାର ତାଙ୍କ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।
ଆନ୍ଧ୍ର ଓଡିଶା ବଡର ସ୍ପେଶାଲ ଜୋନାଲ କମିଟିର ପାର୍ଟି ମେମ୍ବର ହେଉଛି ଦୁଲା । ଗତ 8 ବର୍ଷ ଧରି ସେ ନକ୍ସଲ କାର୍ଯ୍ୟ କଳାପକୁ ପରିଚାଳନା କରୁଥିଲେ । ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି ଦୁଲା। ମାଲକାନଗିରିରେ ପୋଲ ବିସ୍ଫୋରଣ, ବିଚ୍ଛିନ୍ନାଞ୍ଚଳର ରାମଗୁଡା ଓ ବଣ୍ଡାଘାଟି ଏନକାଉଣ୍ଟର ସହ ପୋଲିସ ଇନଫର୍ମର ସନ୍ଦେହରେ ଅନେକ ସାଧାରଣ ଆଦିବାସୀଙ୍କ ହତ୍ୟାକାଣ୍ଡର ସେ ମାଷ୍ଟର ମାଇଣ୍ଡ ଥିଲେ ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।
ବିଶେଷ କରି ବିଚ୍ଛିନ୍ନାଞ୍ଚଳକୁ ଓଡିଶା ସରକାର ସ୍ଵାଭିମାନ ଅଞ୍ଚଳ ଭାବେ ଗଢି ତୋଳିବାକୁ ଉଦ୍ୟମ କରୁଥିବା ବେଳେ ଆନ୍ଧ୍ର ମାଓ ନେତା ସୁଧୀର ଓରଫ ଉଦୟ ନିଜ ଫାଇଦା ପାଇଁ ଏହାକୁ ପ୍ରତିବାଦ କରିଥିଲେ । ସେହିପରି ତେଲୁଗୁ ପ୍ରୀତି ଦେଖାଇ ଅନ୍ୟ ଭାଷାର କ୍ୟାଡରଙ୍କୁ ତୁଚ୍ଛ ମନେ କରିବାରୁ ଦୁଲା ମାଓ ସଂଘଠନ ଛାଡିଥିବା କହିଛନ୍ତି । ଦୁଲାଙ୍କ ଆତ୍ମସମର୍ପଣ ପରେ ଓଡିଶା ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସ୍ପି କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ