ମାଲକାନଗିରି: ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ତାହା ସାଧାରଣ ଲୋକଙ୍କ କାମରେ ଲାଗୁନାହିଁ । ପ୍ରତିଦିନ ସିଲେରୁ ଓ ସାବେରୀ ନଦୀ ପାରି ହୋଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ଯାଉଛନ୍ତି ମାଲକାନଗିରି ଜିଲ୍ଲାର ଶହଶହ ଲୋକ । ଯେଉଁଥିପାଇଁ ସରକାର ଯୋଗାଇ ଦେଇଛନ୍ତି ୨୭ ଲକ୍ଷ ଟଙ୍କାର ଫେରି ବୋଟ । ହେଲେ କାମରେ ନ ଲାଗି ପଡିରହିଛି ଫେରି ସେବା । ଆଉ ପୂର୍ବପରି ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ ।
ଆପଣ ଦେଖୁଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲାର ମୋଟୁରେ ଥିବା ସାବେରୀ ନଦୀର ଦୃଶ୍ୟ । ସାଧାରଣ ଲୋକଙ୍କ ସୁବିଧା ଲାଗି ଦୁଇ ବର୍ଷ ତଳେ ଏହି ଫେରି ବୋଟର ଉଦଘାଟନ କରିଥିଲେ ଜିଲ୍ଲାପାଳ । ହେଲେ ବର୍ତ୍ତମାନ ଦେଖନ୍ତୁ ଏହାର ଦୃଶ୍ୟ । ନଦୀ କୂଳରେ ପଡି ରହିଛି ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କିଣା ଯାଇଥିବା ସେହି ଫେରି ବୋଟ । ଆଉ ଲୋକଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ ଯିବାକୁ ହେଲେ ସେହି ଦେଶୀ ଡଙ୍ଗାରେ ହିଁ ନଦୀ ପାର ହୋଇ ଯିବାକୁ ପଡୁଛି ।
ଦୀର୍ଘ ୭୦ ବର୍ଷ ଧରି ଜିଲ୍ଲାବାସୀ ଏପରି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାରି ହେଉଛନ୍ତି । ଗୋଟିଏ ଦେଶୀ ଡଙ୍ଗାରେ ଶହ ଶହ ଯାତ୍ରୀଙ୍କ ସହ ଭାରି ମାତ୍ରାରେ ଜିନିଷ ପତ୍ର ଓ ମୋଟର ସାଇକେଲ ପାରି ହେଉଛି । ଅନେକ ସମୟରେ ଏହା ଦୁର୍ଘଣାଗ୍ରସ୍ତ ହୋଇ ଅନେକ ଧନ ଜୀବନ ମଧ୍ୟ ହାନି ହେଉଛି । ମୋଟୁରେ ଏକ ପୋଲ ନିର୍ମାଣ କରିବା ଲାଗି ଦୀର୍ଘ ବର୍ଷ ଧରି ଲୋକେ ଦାବି କରି ଆସୁଥିଲେ ହେଁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ