ମାଲକାନଗିରି: ଜୋର ଧରିଲା ମାଳି ଜାତିକୁ ଆଦିବାସୀ ମାନ୍ୟତା ଦାବି । ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ଜାତିର ଶହ ଶହ ଲୋକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏଥିସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ଜାତିକୁ ଏବଂ ପାହାଡିଆ ଜନଜାତିଙ୍କୁ ଆଦିବାସୀରେ ଅନ୍ତର୍ଭୁକ୍ତ କରିବାକୁ ବିଭିନ୍ନ ପ୍ରମାଣିକ ନଥିପତ୍ର ବହୁ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ମାଳି ସମାଜ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ସାମ୍ବିଧାନିକ ଓ ପ୍ରଶାସନିକ ସ୍ତରରେ ଏହାକୁ ଓଡିଶାରେ ସ୍ବୀକୃତି ମିଳିନାହିଁ । ଫଳରେ ଏହି ଜାତିର ଶିକ୍ଷିତ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ବିଭିନ୍ନ ସଂରକ୍ଷଣ ଓ ଚାକିରି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ମାଳି ଜାତିକୁ ଜନଜାତି ରୂପେ ମାନ୍ୟତା ପ୍ରଦାନ ନେଇ ପତ୍ର ସଂଖ୍ୟା ୨୦୧୭ ଓ ୨୦୧୮ ମସିହାରେ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଜାତିକୁ ବର୍ତ୍ତମାନ ସୁଦ୍ଧା ସ୍ବୀକୃତି ମିଳିନଥିବାରୁ ପୁଣି ଆଲୋଚନା କରି ଏହି ଜାତିକୁ ଜନଜାତିରେ ମିଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମାଳିଜାତି ।
ଏହା ମଧ୍ୟ ପଢନ୍ତୁ: ତ୍ରିରଙ୍ଗାକୁ ଅସମ୍ମାନ କରି ସ୍କୁଲ ପ୍ରିନ୍ସିପାଲ ଗିରଫ
ପ୍ରକାଶ ଥାଉକି, ନିକଟରେ ଓଡିଶା ସରକାରଙ୍କ ବିଭାଗ ତରଫରୁ ମାଳି ଜାତି ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସଂପ୍ରଦାୟ ମଧ୍ୟରେ ପ୍ରଚଳିତ ସଂସ୍କୃତି ଓ ପରମ୍ପରା ସଂପର୍କରେ ଏକ ତୁଳନାତ୍ମକ ସର୍ବେକ୍ଷଣ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ମାଳି ଜାତିକୁ ଜନଜାତିର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଓଡିଶାରେ ଏହାକୁ ପୁଣି ତର୍ଜମା କରାଯାଇ ଏହି ଜାତିକୁ ଜାନଜାତିରେ ସାମିଲ କରାଯାଉ ବୋଲି ଅନୁରୋଧ କରାଯାଇଛି ।
ତେବେ ରାଜ୍ୟ ଆଦିବାସୀ ଗବେଷଣା କେନ୍ଦ୍ର ତରଫରୁ ଦୁଇ ଦୁଇ ଥର ମାଳି ସମାଜର ସର୍ବେକ୍ଷଣ ରିପୋର୍ଟ ଓଡିଶା ସରକାରଙ୍କୁ ଦାଖଲ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ଯାଇପାରୁନଥିବା କୁହାଯାଇଛି । ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଓଡିଶା ସରକାର ଏହାର ବିଧି ବ୍ୟବସ୍ଥା ନକରନ୍ତି ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ସମାଜ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ କୌଣସି କ୍ଷୟକ୍ଷତି ହେଲେ ସେଥିପାଇଁ ଓଡିଶା ସରକାର ଦାୟୀ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି