ମାଲକାନଗିରି: ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଚେତି ଉଠିଛି ଜିଲ୍ଲା ଶ୍ରମ ବିଭାଗ । ଆଉ ଆରମ୍ଭ କରିଛନ୍ତି ତଦନ୍ତ । ଜିଲ୍ଲାରେ ଶିଶୁ ଶ୍ରମିକ ମାନଙ୍କୁ ନେଇ କିଛି ଦଲାଲ ଗୋଷ୍ଠୀ କେନ୍ଦୁପତ୍ର ଫଡିରେ କାମ କରାଉଥିବା ଘଟଣା ସାମନାକୁ ଆସିଥିଲା । ଏହି ଖବର ଇଟିଭି ଭାରତରେ ନ୍ୟୁଜ ପ୍ରସାରଣ ହେବା ପରେ ଜିଲ୍ଲା ଶ୍ରମ ବିଭାଗର ନିଦ ଭାଙ୍ଗିଛି ।
ଆଜି ଜିଲ୍ଲା ସହ ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କହଁର ଓ ଚାଇଲ୍ଡଲାଇନ ସଦସ୍ଯ ଉଭୟ ମିଶି ମାଲକାନଗିରି ସଦର ବ୍ଲକ ଚାଲାନଗୁଡା ପଞ୍ଚାୟତର ଡଡିଗୁଡା ପହଞ୍ଚି ଶିଶୁ ଶ୍ରମିକ , ପିଲାମାନଙ୍କ ବାପା, ମା ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ପଚାରି ବୁଝିବାସହ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଜିଲ୍ଲା ସହ ଶ୍ରମ ଅଧିକାରୀଙ୍କ ତଦନ୍ତରୁ ଜଣାପଡ଼ିଛି ଯେ ଡଡିଗୁଡା ଗାଁର 14ଜଣ ଶିଶୁ ଶ୍ରମିକଙ୍କୁ ମହାବୀର ଟ୍ରେଡିଂ କମ୍ପାନୀରେ କାମ କରୁଥିବା ପଙ୍କଜ ଚକ୍ରବର୍ତ୍ତୀ ନାମକ ବ୍ୟକ୍ତି ଅଭିଭାବକଙ୍କ ଅଜାଣତରେ ବିଭିନ୍ନ ଫଡିରେ କୁନି କୁନି ପିଲାଙ୍କୁ କେନ୍ଦୁପତ୍ର କାମରେ ଲଗାଉଥିଲେ ।
ଏହା ବି ପଢନ୍ତୁ- କେନ୍ଦୁପତ୍ର ଫଡିରେ ଖଟୁଛନ୍ତି ଶିଶୁ ଶ୍ରମିକ: ଆଇନକୁ ନାହିଁ ଡର, ନିରବଦ୍ରଷ୍ଟା ଚାଇଲ୍ଡ ଲାଇନ
ତେବେ ଏ ନେଇ ଗ୍ରାମବାସୀ ଓ କାମରେ ନିୟୋଜିତ ଶିଶୁ ଶ୍ରମିକଙ୍କ ବାପା ମା ଅଭିଯୋଗ କରିଥିବା ଜିଲ୍ଲା ସହ ଶ୍ରମ ଅଧିକାରୀ କହିଛନ୍ତି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଶିଶୁ ଶ୍ରମିକ ଆଇନ ମୁତାବକ ଯାହା ଦଣ୍ଡର ବ୍ୟବସ୍ଥା ରହିଛି ତାହା ଠିକ୍ ଭାବେ କରାଯିବ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଏହି କୁନି କୁନି ପିଲା ମାତ୍ର ୫୦ କି ୧୦୦ ଟଙ୍କା ପାଇଁ ଡହ ଡହ ଖରାରେ କେନ୍ଦୁପତ୍ର ତୋଳୁଥିବା ନଜର ଆସିଥିଲା । କେନ୍ଦୁପତ୍ର ତୋଳିବା, ଫଡିରେ ପତ୍ର ଓଲଟାଇ ଶୁଖାଇବା କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ