ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ଲୋକଙ୍କ ବିକାଶ ନାଁରେ ITDA ଅଧିନରେ ଥିବା OTLPରେ ହୋଇଛି ମହାଘୋଟାଲା । ଅଭିଯୋଗ ଅନୁସାରେ OTLP ସଂସ୍ଥା ପକ୍ଷରୁ ଲେମ୍ବୁଘାସ ଚାଷ କରି ସ୍ବାବଲମ୍ବୀ ହେବେ କହି ହିତାଧିକାରୀଙ୍କ ଜମିରେ ଲଗାଯାଇଥିଲା ସୁଖିଲା ଲେମ୍ବୁଘାସ । ଜିଲ୍ଲାପାଳଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ ଭୟରେ OTLP ଅଧିକାରୀ ରାସ୍ତାରେ ପଡିରହିଥିବା ସୁଖିଲା ଲେମ୍ବୁଘାସ ଗୁଡିକୁ ଲୋକ ଲଗାଇ ଅନ୍ୟତ୍ର ଫୋପାଡିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି ସ୍ବାଭିମାନ ଅଞ୍ଚଳର ଜୋଡାଆମ୍ବ ପଞ୍ଚାୟତ ଅନ୍ତର୍ଗତ ଦାର୍ଲାବେଡା ଗାଁରୁ ।
ସେତୁ ଯୋଜନାରେ ଲାଗିଥିଲା ଲେମ୍ବୁଘାଷ: ସ୍ବାଭିମାନ ଅଞ୍ଚଳବାସୀ ସବୁଜ ଜହର ଗଞ୍ଜେଇ ଚାଷ ଛାଡି ଲେମ୍ବୁଘାସ ଚାଷ କରି ହେବେ ସ୍ବାବିଲମ୍ବୀ । ଏଭଳି ଚିନ୍ତାକରି ସରକାରଙ୍କ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରି ମାଲକାନଗିରି ଆଇଟିଡିଏ ପକ୍ଷରୁ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ହିତାଧିକାରୀଙ୍କୁ ନେଇ ଲେମ୍ବୁଘାସ ଚାଷ କରାଗଲା । ସେଥି ମଧ୍ୟରୁ ପିଏ ଆଇଟିଡିଏଙ୍କ ଅଧିନରେ ଥିବା ଓଟିଏଲ୍ପି ସଂସ୍ଥାକୁ ଜୋଡାଆମ୍ବ ପଞ୍ଚାୟତରେ ହିତାଧିକାରୀଙ୍କ ୫୦ ହେକ୍ଟର ଜମିରେ ଲେମ୍ବୁଘାସ ଚାଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପିଏ ଆଇଟିଡିଏ । ହିତାଧିକାରୀଙ୍କ କହିବା ଅନୁସାରେ ଗତ ଅକ୍ଟୋବର ୨୦୨୨ରେ ସୁଖିଲା ଲେମ୍ବୁଘାସ ଆଣି ଦାର୍ଲାବେଡା ଗାଁର ହିତାଧିକାରୀଙ୍କୁ ଦେଇଥିଲେ ଏବଂ ନରେଗା ଯୋଜନାରେ ଗ୍ରାମବାସୀଙ୍କ ଦ୍ବାରା ବିଭିନ୍ନ ଜମିରେ ଲେମ୍ବୁଘାସ ରୋପଣ କରାଯାଇଥିଲା । କିନ୍ତୁ ଘାସ ରୋପଣ କରିଥିବା ଶ୍ରମିକଙ୍କୁ ବର୍ତ୍ତମାନ ସୁଦ୍ଧା ପାରିଶ୍ରମିକ ଟଙ୍କା ମିଳିନଥିବା କହିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କୁ ଭୁଆଁ ବୁଲାଇ ନଷ୍ଟ ହୋଇଯାଇଥିବା ଘାସ ଲଗାଇଥିଲା OTLP !: ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଦାର୍ଲାବେଡା ଗ୍ରାମକୁ ଆସିଥିବା ଲେମ୍ବୁଘାସ ଗୁଡିକ ସୁଖିଲା ଓ ଖରାପ ଥିବା ସହ ସେଗୁଡିକ ସ୍ଥାନୀୟ ହାଟପଦା ଠାରେ ଦୁଇ ମାସ ଧରି ପଡିରହିଥିଲା । ଫଳରେ ସେଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହାପରେ ମଧ୍ୟ ଗ୍ରାମବାସୀଙ୍କୁ ଭୁଆଁ ବୁଲାଇ OTLP କର୍ମଚାରୀମାନେ କିଛି ହିତାଧିକାରୀଙ୍କ ଜମିରେ ଲେମ୍ବୁଘାସ ଲଗାଇଥିଲେ ଏବଂ ଅଳ୍ପକିଛି ସାର ଏବଂ ତାର ବାଡ ଘେରାଇବା ପାଇଁ ବହୁତ୍ କମ ତାର ଦେଇଥିଲେ । ସମସ୍ତ ୫୦ ହେକ୍ଟର ଜମିରେ ଘାସ ନଲଗାଇ ବଳକା ଘାସ ଗୁଡିକ ହାଟପଦାରେ ପଡିରହିଥିଲା ।
କିଛିଦିନ ପରେ ଜିଲ୍ଲାପାଳଙ୍କ ଜୋଡାଆମ୍ବ ପଞ୍ଚାୟତ ଗସ୍ତକୁ ଦୃଷ୍ଟିରେ ରଖି OTLP କର୍ମଚାରୀମାନେ ଗ୍ରାମବାସୀଙ୍କୁ ଲଗାଇ ବଳକା ଖରାପ ଘାସ ଗୁଡିକୁ ନିକଟରେ ଥିବା ଏକ ନାଳରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ କହିବା କଥା ହେଲା, "୪ରୁ ୫ ମାସ ତଳେ ଲଗାଯାଇଥିବା ଘାସ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହେବାପରେ ଲଗାଯାଇଥିଲା । ଫଳରେ ଗୋଟିଏ ଜାଗାରେ ବି ଲେମ୍ବୁଘାସ ଗଛ ବଞ୍ଚିଲା ନାହିଁ । ସେଥିପାଇଁ ସେମାନଙ୍କୁ ଦିଆଯାଇଥିବା ତାରବାଡ ଓ ସାର ସେମାନଙ୍କ ଘରେ ପଡିରହିଛି । ଏହାସହ କାମ କରିଥିବା ଶ୍ରମିକଙ୍କ ଟଙ୍କା ମଧ୍ୟ ଦିଆଯାଇ ନାହିଁ ।
ଏମିତି କହିଲେ ପିଏ ଆଇଟିଡିଏ: ଦାର୍ଲାବେଡା ଗ୍ରାମବାସୀଙ୍କ ଅଭିଯୋଗ ନେଇ ମାଲକାନଗିରି ପିଏ ଆଇଟିଡିଏଙ୍କୁ ପଚାରିବାରୁ ସେ କହିଛନ୍ତି, "ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ୨୦୦ ହେକ୍ଟର ଜାଗାରେ ଲେମ୍ବୁଘାସ ଚାଷ କରାଯାଇଛି । ସେଥିମଧ୍ୟରୁ ଜୋଡାଆମ୍ବ ପଞ୍ଚାୟତରେ ୫୦ ହେକ୍ଟର କରିବାର ଥିଲା । କିନ୍ତୁ ସେଠାରେ ୩୫ ହେକ୍ଟର ଜାଗାରେ ଲେମ୍ବୁଘାସ ଚାଷ କରାଯାଇଛି । ଯେହେତୁ ସରକାରଙ୍କ ଏହାଏକ ଜନହିତକାରୀ ଯୋଜନା, ଏଣୁ ମୁଁ ନିଜେ ଏହା ଉପରେ ଦୃଷ୍ଟି ରଖିଛି । କିଛି ଜାଗାରେ ଗଛ ମରିଯିବା କାରଣରୁ ସେଠାକାର ବିଲ୍ ନକରି ସେ ବିଲ୍କୁ ସ୍ଥଗିତ ରଖାଯାଇଛି ।" କିନ୍ତୁ ଏହି ଲେମ୍ବୁଘାସ ରୋପଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଏ ବାବଦରେ ପିଏ କିଛି କହିନାହାନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି, ପିଏ ଆଇଟିଡିଏ କେବଳ ବିଲ୍ ସ୍ଥଗିତ କରି କାହିଁକି ନିଜର କାମ ସାରିଦେଇଛନ୍ତି ? ୫ ମାସ ହେବ ସେ ନିଜେ ଅବଗତ ହୋଇ ମଧ୍ୟ କାହିଁକି OTLP କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିନାହାନ୍ତି ? କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରେ ପିଏ ଆଇଟିଡିଏଙ୍କର କିଛି ସ୍ବାର୍ଥ ନାହିଁ ତ ? ତାହା ଉପରେ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ସମସ୍ତ ଫାଇଲ ପିଏ ଆଇଟିଡିଏଙ୍କ ପାଖରେ ଅଛି । ତେଣୁ ଏ ବାବଦରେ ଆପଣଙ୍କୁ ଆମେ କିଛି କହିପାରିବୁ ନାହିଁ କହି ସଫେଇ ଦେଇଛନ୍ତି OTLP ଅଧିକାରୀ ମନୋରଞ୍ଜନ ମେହର ଓ OTLP କୃଷି ଅଧିକାରୀ ପବିତ୍ର ମୋହନ ଗୌଡ ।
ଗୋଟିଏ ପରେ ଗୋଟିଏ ଆଇଟିଡିଏ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି । ଏପରି ସ୍ଥିତିରେ ସ୍ବାଭିମାନ ଅଞ୍ଚଳ ଲୋକମାନେ ଆଇଟିଡିଏରୁ କିପରି ସହଯୋଗ ପାଇବେ ଓ କେବେ ସବୁଜ ଜହର ଚାଷରୁ ମୁକ୍ତ ହୋଇ ଲେମ୍ବୁଘାସ ଚାଷ କରି ସ୍ବାବଲମ୍ବୀ ହେବେ, ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ମାଲକାନଗିରି