ମାଲକାନଗିରି: ଜିଲ୍ଲାର କୋଭିଡ ହସ୍ପିଟାଲରେ ଖାଦ୍ୟରେ ଅବ୍ୟବସ୍ଥା ଅଭିଯୋଗ । ରୋଗୀଙ୍କୁ ଅସିଝା ଖାଦ୍ୟ ଖାଇବାକୁ ଦିଆଯାଉଛି ଯାହା ମଣିଷ ଖାଇବା ଉପଯୋଗୀ ନୁହେଁ । ଏପରି ଅଭିଯୋଗ କରିଛନ୍ତି କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯୁବ ସାମ୍ବାଦିକା ।
କିଛି ଦିନ ତଳେ ଜିଲ୍ଲାରେ କୋଭିଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଓ ମୃତ୍ୟୁକୁ ନେଇ ଅଭିଯୋଗ ଆସିଥିଲା । ମାତ୍ର ଏହାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରା ଯାଇଥିଲା । କିନ୍ତୁ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ସାମ୍ବାଦିକା ଖାଦ୍ୟରେ ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି । କୋଭିଡ ରୋଗୀଙ୍କୁ ଅସିଝା ଖାଦ୍ୟ ଦିଆଯାଉଛି ଯାହା ମଣିଷ ଖାଇବା ଉପଯୋଗୀ ନୁହେଁ ବୋଲି ଅଭିଯୋଗ କରିଛନ୍ତି ପୀଡିତ ସାମ୍ବାଦିକା । ଯୁବ ସାମ୍ବାଦିକା ଜୟନ୍ତୀ ବୁରୁଦା ଏକ ଭିଡିଓ ମାଧ୍ୟମରେ ନିଜ କୋହଭରା କଣ୍ଠରେ ଗଣମାଧ୍ୟମକୁ ଏହା ଜଣାଇବା ସହ କୋଭିଡ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ।
ଏହିଭଳି ଅଭିଯୋଗ ଆସିବା ପରେ ସାମ୍ବାଦିକ ଏବଂ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନକୁ ଖାଦ୍ୟର ମାନ ନିର୍ଦ୍ଧାରଣ କରିବା ସହ ଖାଦ୍ୟ ଯୋଗାଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । କୋରୋନା ମହାମାରୀର ଦ୍ବିତୀୟ ଲହର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ କୋଭିଡ ଚିକିତ୍ସାଳୟରେ ଚିକିତ୍ସା ଓ ଖାଦ୍ୟରେ ଅବ୍ୟବସ୍ଥା ଆଉ ଏକ ସମସ୍ୟା ସୃଷ୍ଟି କରିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ