ମାଲକାନଗିରି: ଜିଲ୍ଲାର ସବୁଠାରୁ ଉଚ୍ଚତମ ପାହାଡ ଗାରିଆଘାଟି । ଏହି ସୁ ଉଚ୍ଚ ପାହାଡ ଓ ଝରଣା ବଣ୍ଡା ଆଦିବାସୀଙ୍କ ଜନ୍ମସ୍ଥାନ । ବିଶ୍ବାସ ରହିଛି ପ୍ରାୟ 60 ହଜାର ବର୍ଷ ପୂର୍ବେ ଆଫ୍ରିକାରୁ ଏହି ଜନଜାତି ଓଡିଶାର ମାଲକାନଗିରି ଓ କୋରାପୁଟରେ ପହଞ୍ଚିଥିଲେ । ଏମାନେ ମୁଖ୍ୟତଃ ଘାଟିର ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ଶାଳ ପତ୍ର ସଂଗ୍ରହ କରିବା ସହ ମହୁଲ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି । ଏହାସହ ମହୁଲୀ, ସଲପ୍ ମଧ୍ୟ ବିକ୍ରି କରନ୍ତି । ବର୍ତ୍ତମାନର କିଛି ବଣ୍ଡା ବାଉଁଶ ତିଆରି ଟୋକେଇ ପ୍ରସ୍ତୁତ କରି ଘାଟି ତଳକୁ ବିକ୍ରି କରି ଆସନ୍ତି । ଏମାନେ ବଜାର ସମୟରେ ହିଁ ଘାଟିର ତଳକୁ ଓହ୍ଲାନ୍ତି । ଏହାସହ ସେଠାରେ ଆଜି ବି ଜିନିଷ ବଦଳରେ ଜିନିଷ କିଣିବାର ପ୍ରଥା ରହିଆସିଛି । ବଣ୍ଡାମାନେ ଟଙ୍କା-ପଇସା କଣ ଜାଣନ୍ତିନି । ଖାଦ୍ୟ ସାମଗ୍ରୀ ଦେଇ କିମ୍ବା କୌଣସି ଜିନିଷ ଦେଇ ସେମାନେ ସାମଗ୍ରୀ କିଣନ୍ତି ।
ବଣ୍ଡାମାନଙ୍କ ବେଶଭୂଷା ବି ସ୍ବତନ୍ତ୍ର। ମହିଳାମାନେ ସାଧାରଣତଃ କମ୍ ପୋଷାକ ପିନ୍ଧିଥାନ୍ତି ଓ ନିଜ ହାତ ତିଆରି ରଙ୍ଗବେରଙ୍ଗୀ ମାଳିରେ ଶରୀରର ବିଭିନ୍ନ ଅଙ୍ଗକୁ ଢାଙ୍କିଥାନ୍ତି । ବଣ୍ଡା ମହିଳାମାନେ ମୁଣ୍ଡରେ କେଶ ରଖିବାକୁ ପସନ୍ଦ କରନ୍ତିନି । ଏହା ବଦଳରେ ବିଭିନ୍ନ ମାଳିରେ ମୁଣ୍ଡକୁ ଘୋଡାଇଥାନ୍ତି । ଅଣ୍ଟାରେ କପଡା ରିଙ୍ଗା ପିନ୍ଧନ୍ତି ବଣ୍ଡା ମହିଳା କିନ୍ତୁ ସମୟ ବଦଳିବା ସହ ଏହି ପୁରୁଣା ପରମ୍ପରାର ସ୍ଥାନ ନେଇଛି ରାତ୍ରି ପିନ୍ଧା ପୋଷାକ ନାଇଟ୍ ଗାଉନ୍ । ମହିଳାମାନଙ୍କ ସହ ଫଟୋ ନେବାକୁ ଚେଷ୍ଟା କଲେ ସେମାନେ ଟଙ୍କା ମାଗନ୍ତି ।
ବଣ୍ଡା ସମ୍ପ୍ରଦାୟର 2ଟି କୁଳ ରହିଛି । ଓନ୍ତଳ ବା ନାଗ୍ ଓ କିଲୋ ବା ବାଘ୍ । ବଣ୍ଡା ଜନଜାତିରେ ବିବାହର ପ୍ରଥା ମଧ୍ୟ ନିଆରା, ଯୁବକ-ଯୁବତୀଙ୍କ ମଧ୍ୟରେ ଝିକାଝିକି ବିବାହ ମଧ୍ୟ ରହିଛି ଓ ଅନ୍ୟଜାତିରେ ବିବାହକୁ ମଧ୍ୟ ଏଠି ପ୍ରୋତ୍ସାହନ ଦିଆଯାଇଥାଏ । ଅନ୍ୟପକ୍ଷେ ଏମାନଙ୍କ ପୂଜାପାର୍ବଣ ମଧ୍ୟ ବେଶ୍ ନିଆରା । ବଣ୍ଡାଘାଟିରେ ବଳିପ୍ରଥା ମଧ୍ୟ ରହିଛି । ବର୍ଷକୁ ଥରେ ପାଟଖଣ୍ଡା ପୂଜା କରିଥାନ୍ତି ଓ ସେହି ଖଣ୍ଡାରେ ପଶୁବଳି ଦିଆଯାଇଥାଏ । ପୁଷ୍ ପରବ୍, ମାଘ ପରବରେ ଗାଁର ସମସ୍ତ ଲୋକେ ଏକାଠି ହୋଇ ସିଣ୍ଡିବରରେ ଏକାଠି ହୋଇଥାନ୍ତି । ଏକ ବିରାଟ ଗଛ ତଳେ କିଛି ପଥର ରଖାଯାଇଥାଏ, ସେହି ପଥରକୁ ସିଣ୍ଡିବର କୁହାଯାଇଥାଏ । ବିଭିନ୍ନ ପୂଜାପର୍ବାଣୀ ସମେତ ଏଠାରେ ବିଭିନ୍ନ ନିଷ୍ପତ୍ତି ମଧ୍ୟ ନିଆଯାଇଥାଏ ।
ବହୁ ପୁରାତନ ଓ ଆଦିମ ଜନଜାତି ହୋଇଥିବାରୁ, ଏମାନେ ସରକାରଙ୍କ PVTG ଗୋଷ୍ଠୀରେ ସାମିଲ ଅଛନ୍ତି । ଓଡିଶାରେ ବଣ୍ଡାଙ୍କୁ ମିଶାଇ 13 ପ୍ରକାର ଆଦିମ ଜନଜାତି ଅର୍ଥାତ PVTG ଅଛନ୍ତି । ଏହାର ଅର୍ଥ ସରକାରଙ୍କ ଏମାନଙ୍କ ପ୍ରତି ବିଶେଷ ନଜର ରହିବା କଥା । କିନ୍ତୁ ଏବେବି ବଣ୍ଡା ଜନଜାତି ମୁଖ୍ୟସ୍ରୋତର ବହୁ ଦୂରରେ । ବଣ୍ଡାଘାଟିର 2ଟି ପଞ୍ଚାୟତ ଅଣ୍ଡ୍ରାହାସ ଓ ମୁଦୁଲିପଡାର 7 ହଜାରରୁ ଉର୍ଦ୍ଧ୍ବ ବଣ୍ଡାଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା । ଯେଉଁଠି ମୌଳିକ ସୁବିଧା ନାହିଁ ସେଠି ସରକାରୀ ସହାୟତାର ପ୍ରଶ୍ନ ହିଁ ଉଠୁନି । ଗ୍ରାମକୁ ଆଜି ବି ପକ୍କା ରାସ୍ତା, ମାଇଲ ମାଇଲ ବାଟ ଚାଲେ ଗର୍ଭବତୀ । ଖଟିଆରେ ବୁହା ହୁଏ ପ୍ରସୂତି । ଶୁଦ୍ଧ ପାନୀୟ ଜଳ କଥା ନ କହିବା ଭଲ । ପାଣିଟାଙ୍କି ସିନା ଅଛି କିନ୍ତୁ ମାଇଲ୍ ବାଟ ଚାଲିଲା ପରେ ଝରଣା, ଚୁଆରୁ ପାଣି ଆଣିବାକୁ ପଡେ ଫଳରେ ରୋଗ ବ୍ୟାଧି ବଢିଚାଲେ । ମ୍ୟାଲେରିଆରେ ପ୍ରତିବର୍ଷ ଶହ ଶହ ଲୋକ ମୃତ୍ୟୁବରଣ କରନ୍ତି । ଶିକ୍ଷା ଏଠାରେ ଅନ୍ଧକାର ମଧ୍ୟରେ । ସ୍କୁଲ୍ ଥିଲେ ଶିକ୍ଷକ ନାହାଁନ୍ତି ଆଉ ଶିକ୍ଷକ ଥିଲେ ସ୍କୁଲ୍ ନାହିଁ । ତେବେ ସରକାର ଓ ଜିଲ୍ଲା ପ୍ରଶାସନ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯେମିତି ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ବଣ୍ଡାଘାଟିକୁ ସେପରି କାହିଁକି ନୁହେଁ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ