ମାଲକାନଗିରି: ଡିଜେ ବାଜିବ, ମୋ ପୁଅର ବାହାଘର ଧୁମ ଧାମରେ ହେବ ଓ ଡିଜେର ତାଳେ ତାଳେ ନାଚିବେ ବରଯାତ୍ରୀ । ଏମିତି ରୂପେ ଆରମ୍ଭ ହୋଇଥିଲା ପୁଅ ବାହାଘରର ପ୍ରୋସେସନ । ହେଲେ ବରର ବାପା ପାଇଁ କାଳ ହୋଇଗଲା ପୁଅର ବାହାଘର ପ୍ରୋସେସନ । ଡିଜେ ଶବ୍ଦରେ ବାପାର ଘଟିଲା ଆକସ୍ମିକ ମୃତ୍ୟୁ । ଏଭିଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ମୃତକ ଜଣଙ୍କ ହେଉଛନ୍ତି ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଡିଜେ ଶବ୍ଦ ଯୋଗୁଁ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଫେସବୁକରେ ମାଲକାନଗିରି ଜିଲ୍ଲାର ଜଣେ ଯୁବତୀଙ୍କୁ ଭଲ ପାଇବା ପରେ ବିବାହ ପାଇଁ ସ୍ଥିର ହୋଇଥିଲା । ଗତକାଲି ରାତିରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରି ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯିବାର ଥିଲା । ହେଲେ ବାହାଘର ପ୍ରୋସେସନ ଚାଲିଥିବା ବେଳେ ହଠାତ୍ ରାସ୍ତା ଉପରେ ବର ବାପାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ବର ବାପାଙ୍କ ମୃତ୍ୟୁ ପରେ ବାହାଘର ବନ୍ଦ ରହିଥିବା ଜଣାପଡିଛି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ