ମାଲକାନଗିରି: ସ୍ଥାନୀୟ ଓର୍କେଲ ଥାନା ଅନ୍ତର୍ଗତ ଚିତାପାରି ଅଞ୍ଚଳରେ ଜୁଆ ଆଡ୍ଡାରେ ପୋଲିସର ଚଢାଉରେ ଧରା ପଡିଥିଲା ଜଣେ ଜୁଆଡି । ହେଲେ ପୋଲିସ ହାତରୁ ଖସିବାକୁ ଚେଷ୍ଟା କରି ଫେରାର ହେବା ସମୟରେ ନଦୀରେ ବୁଡି ଜୁଆଡି ବିନୋଦ ଖେମୁଡୁର ମୃତ୍ୟୁ ହୋଇଥିଲା । ଘଟଣାରେ ବ୍ୟବଚ୍ଛେଦ ପରେ ପୋଲିସ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ବେଳେ ମୃତଦେହକୁ ରାଜରାସ୍ତାରେ ରଖି ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜୁଆ ଆଡ୍ଡା ଥିବା ନେଇ ପୋଲିସ ଖବର ପାଇବା ପରେ ଓର୍କେଲ ଏସଡିପିଓ ମାନସ ବାରିକଙ୍କ ନେତୃତ୍ବରେ ଚଢାଉ ହୋଇଥିଲା । ହେଲେ ପୋଲିସକୁ ଦେଖିବା ମାତ୍ରେ ନଦୀରେ ପହଁରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଜୁଆଡି ବିନୋଦ ଖେମୁଡୁର ମୃତ୍ୟୁ ହୋଇଥିଲା । ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିନପାରି ଏଥିରେ ପୋଲିସର ହାତ ଥିବା ଅଭିଯୋଗ କରିଛନ୍ତି ।
ପରିବାର ଲୋକେ ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୋଲିସ ବିନୋଦକୁ ଗିରଫ କରିବା ପରେ ତାକୁ ବାଡେଇ ମାରି ନଦୀରେ ଫୋପାଡି ଦେଇଛି । ଯାହାକୁ ପରେ ଅଲଗା ରୂପ ଦିଆଯାଇଥିଲା । ଏନେଇ ପ୍ରତିବାଦ କରିବା ସହ ଉପଯୁକ୍ତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଧମକ ଦେଇଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ଏଥିସହ ଏସ୍ଡିପିଓ ମାନସ ବାରିକଙ୍କ ବଦଳି ମଧ୍ୟ ଦାବି କରିଛନ୍ତି ସମ୍ପୃକ୍ତ ଗ୍ରାମବାସୀ ।
ତେବେ ଦୀର୍ଘ 8 ଘଣ୍ଟା ଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ ଯୋଗୁଁ ବାଲିମେଳା- ଜୟପୁର, ବାଲିମେଳା- ମାଲକାନଗିରି ଓ ବାଲିମେଳା- ଚିତ୍ରକୋଣ୍ଡା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ମୃତଦେହକୁ ରାସ୍ତାରେ ରଖି ପରିବାରର ଜଣଙ୍କୁ ଚାକିରି ସହ 20 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।
ମାଲକାନିଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ