ମାନକାନଗିରି: କଳଁଅ ଆଖିରେ ଅସୁମାରୀ ସ୍ବପ୍ନ । ହେଲେ ନିୟତିର ନିଷ୍ଠୁରତା ଆଗରେ ହାର ମାନିଛି ଚପଳାମି । ଲାଳନ ପାଳନ କରିବାକୁ ନିଜର ବୋଲି କେହିନାହିଁ । ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରି ଅସହାୟ ଶିଶୁ । ସତେ ଯେମିତି ଦୁଃଖର ପାହାଡ ଛିଡି ପଡିଛି ୧୩ ବର୍ଷର ଝିଅ ଲକ୍ଷ୍ମୀ ଉପରେ । ଆମେ କହୁଛୁ ମାଲକାନଗିରି ଜିଲ୍ଲା ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଧରମପାଲ୍ଲୀ ଗାଁର ଲକ୍ଷ୍ମୀ ମାଡିଙ୍କ କଥା ।
ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି । ଦଇବ ଦେଇଥିବା ଏ ଦୁଃଖ ଭିତରେ ନିଜ କାନ୍ଧରେ ବୋହି ଚାଲିଛନ୍ତି ଭାର । ବଞ୍ଚିବା ପାଇ ରାହା ଖୋଜୁଛନ୍ତି । ସହାୟତା କହିଲେ କିଛି ନାହିଁ । ଦିନେ ଖାଇଲେ ଆର ଓଳିକୁ ଓପାସ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଧରମପାଲ୍ଲୀ ଗ୍ରାମର ଶୁକ୍ରା ମାଡି ଓ ତାଙ୍କ ସ୍ତ୍ରୀ ମୁକେ ମାଡି ଗତ ଦୁଇ ବର୍ଷ ତଳେ ଆଗପଛ ହୋଇ ଚାଲିଗଲେ । ଉଭୟଙ୍କ ମୃତ୍ୟୁ ହେବାପରେ ୪ଜଣ ପିଲା ଏବେ ଅନଥ ହୋଇ ଯାଇଛନ୍ତି । ମୃତ ଶୁକ୍ରା ଓ ମୁକେଙ୍କର ପୁଅ ଝିଅ ମିସି ୬ଜଣ ସନ୍ତାନ ହୋଇଥିବା ବେଳେ ଦୁଇ ବଡ ଝିଅ ବାହା ହୋଇ ଅନ୍ୟତ୍ର ଚାଲିଯାଇଛନ୍ତି ।
ଘରେ ରହିଥିବା ୪ଜଣଙ୍କ ମଧ୍ଯରୁ ତୃତୀୟ ଝିଅଟି ଲକ୍ଷ୍ମୀ ମାଡି (୧୩ବର୍ଷ) । କତାମାଟେରୁ ଆଶ୍ରମ ସ୍କୁଲର ଶପ୍ତମ ଶ୍ରେଣୀର ଛାତ୍ରୀ । ବାପା ଓ ମାଆ ଆରପାରିକୁ ଗଲାପରେ ତା ଉପରେ ଏବେ ପରିବାରର ଦାୟିତ୍ବ । ଲକ୍ଷ୍ମୀର ତିନିଜଣ ଭାଇ ଭଉଣୀ । ଲକ୍ଷ୍ମୀ ପରେ ଯେଉଁ ଭାଇ ଅଛି ତାନା କ୍ରିଷ୍ନା ମାଡି (୯ବର୍ଷ) ସେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ। ସଯ୍ୟାସାୟୀ ଭାଇକୁ ଦେଖାରଖା କରିବାପାଇଁ କେହି ନଥିବା ବେଳେ ଲକ୍ଷ୍ମୀ ସ୍କୁଲ୍ ଛୁଟିକରି କ୍ରିଷ୍ନାର ଦେଖାରଖା କରୁଛି । ତାସହ ଆଉ ଦୁଇଜଣ ଭାଇ ଭଉଣୀ ଅଛନ୍ତି । ସେମାନେ ହେଲେ ଦିପ୍ତି ମାଡି (୬ବର୍ଷ) ଓ ରାମକୃଷ୍ଣ ମାଡି (୫ବର୍ଷ) । ଏହି ଦୁଇ ଜଣ ସ୍କୁଲ ଯାଇନଥିବା ବେଳେ ଦିବ୍ୟାଙ୍ଗ ଭାଇକୁ ଜଗି ବସୁଥାନ୍ତି ।
ବାପାମାଆ ଆରପାରିକୁ ଗଲା ପରେ ଏହି ଗାଁର ଜଣେ ବଦମ୍ୟ ବ୍ଯକ୍ତି ଇରମା ମାଡକାମି ଏହି ପିଲାମାନଙ୍କ ମାମୁଁର ପରିଚୟ ଦେଇ ଏମାନଙ୍କ ଦେଖାରଖା କରୁଛନ୍ତି । ଏଥିସହ ଗ୍ରାମବାସୀମାନେ ନିରୀହ ପିଲାଙ୍କ ମୁହଁକୁ ଚାହିଁ କିଛି ସହାୟତା କରନ୍ତି । ଏଭଳି ପରିସ୍ଥିତିରେ ୧୩ ବର୍ଷର ଝିଅ ଲକ୍ଷ୍ମୀକୁ ପାଠପଢା ସହ ତିନି ଭାଇ ଓ ଦୁଇ ଭାଇଭଉଣୀଙ୍କ ଚିନ୍ତାରେ ଭାଙ୍ଗିପଡିଛି । ବାପାମାଆ ଥିବା ସମୟରେ ସରକାରୀ ଚାଉଳ ପଞ୍ଚାୟତରୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଚାଉଳ ମୁଠେ ମଧ୍ଯ ପଞ୍ଚାୟତ ତରଫରୁ ମିଳିନାହିଁ କହିଛନ୍ତି ଲକ୍ଷ୍ମୀ । କେବଳ ଭିନ୍ନକ୍ଷମ ଭାଇର ମାସିକ ଭତ୍ତା ଆକାରରେ ୭୦୦ଟଙ୍କା ମିଳୁଛି । ଏହି ସାତଶହ ଟଙ୍କାରେ ଚାରିଜଣ କିଭଳି ଚଳିବୁ କହିଛନ୍ତି ଲକ୍ଷ୍ମୀ । ତେଣୁ ସରକାରଙ୍କୁ ସହାୟତା ଯୋଗାଇବାକୁ ସେ ଅନୁରୋଧ କରିଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁସାରେ, "ଅନାଥ ପିଲାଙ୍କ ବିଷୟରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହି ଅଧିକାରୀ ଜାଣିଥିଲେ ମଧ୍ଯ ଏମାନଙ୍କୁ ଖାଇବା ପାଇଁ ଚାଉଳର ବ୍ୟବସ୍ଥା କରି ପାରିନାହାନ୍ତି । ଏଣୁ ସେମାନେ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ।" ଚାରିଜଣ ଅନାଥ ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଥଇଥାନ କରାଯିବାକୁ ଦାବି କରାଯାଉଛି । ଗ୍ରାମବାସୀ ଓ ଲକ୍ଷ୍ମୀର ଅଭିଯୋଗ ପରେ ଏନେଇ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏ ପ୍ରସଙ୍ଗରେ ଅବଗତ ନଥିଲେ ବୋଲି କହିଛନ୍ତି । ଗଣମାଧ୍ୟମରେ ଖବର ପାଇଲା ପରେ ଅସହାୟ ପିଲାମାନଙ୍କ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହଯୋଗ କରି ଥଇଥାନର ବ୍ୟବସ୍ଥା କରାଯିବ କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ । ବର୍ତ୍ତମାନ ଏହି ଚାରିଜଣ ଅନାଥ ଭାଇ ଭଉଣୀଙ୍କୁ କିଭଳି ସରକାରୀ ସ୍ତରରେ ଥଇଥାନ କରାଯିବ ତାହା ଦେଖିବାକୁ ବାକି ରହିଲା ।
ମାଲକାନଗିରି, ଇଟିଭି ଭାରତ