ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ମାଓ ବିରୋଧୀ ଅପରେସନରେ ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ସୂଚନା ରହିଛି । ଗତ 2 ଦିନ ତଳେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ଅପରେସନ ବୁଧବାର ଶେଷ ହୋଇଛି ।
ଅପରେସନରେ ଏସଓଜି, ବିଏସଏଫ, ଡିଭିଏଫ ସମେତ ଆନ୍ଧ୍ର ପୋଲିସ ମଧ୍ୟ ନିୟୋଜିତ ହୋଇଥିଲେ । ଏହି ମାଓ ଶିବିରରେ 20 ରୁ 25 ଜଣ ମାଓବାଦୀ ଥିବା ଜଣାପଡ଼ିଛି । ଅପରେସନରେ ବିପୁଳ ମାଓ ସାମାଗ୍ରୀ ଜବତ କରାଯାଇଛି । ସେଥିମଧ୍ୟରୁ ଟିଫିନ ବୋମା, ଡିଟୋ ନେଟର, ଗୁଳି, ରେଡ଼ିଓ, ଫ୍ଲାସ ଲାଇଟ, ତାର, ବ୍ୟାଗ, ଡ୍ରେସ, ଔଷଧ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର ଜିନିଷ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସମ୍ପର୍କରେ ଜଣାପଡିବା ପରେ ସୋମବାର ରାତିରେ ପୋଲିସ ଓ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସେଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିିଭି ଭାରତ