ମାଲକାନଗିରି: ୨୦ଦିନ ହବ ମାଲକାନଗିରି ଜିଲ୍ଲା ଧରମପାଲ୍ଲୀ ପ୍ରାଥମିକ ଚିକିତ୍ସାଳୟରେ ବିଦ୍ୟୁତ ସେବା ବିଚ୍ଛିନ୍ନ । ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ମୁଖ୍ୟତଃ ଗର୍ଭବତୀ ମହିଳା ଓ ଶିଶୁମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।
ତେବେ ଧରମପାଲ୍ଲୀ ପ୍ରାଥମିକ ଚିକିତ୍ସାଳୟରେ ବିଶେଷ କରି ଡେଲିଭରି କରାଯାଇଥାଏ । ଏଠାରେ ପ୍ରତ୍ଯେକ ମାସ ୧୫ ରୁ ୨୦ ଡେଲିଭରି କରାଯାଇଥାଏ । ଅଧିକାଂଶ ରାତ୍ରି ସମୟରେ ହେଉଥିବାରୁ ଟର୍ଚ୍ଚ ଲାଇଟ କିମ୍ବା ସୋଲାର ଟର୍ଚ୍ଚ ଲାଇଟରେ ଡେଲିଭରି ହେଉଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ସେବା ନଥିବାରୁ ଟିଟି, ଭ୍ୟାକସିନ ପରି ଫ୍ରିଜରେ ରହିବା ଔଷଧଗୁଡିକ ଡାକ୍ତରଖାନାରୁ ମିଳିପାରୁ ନାହିଁ । ଯାହା ଫଳରେ ନବଜାତ ଶିଶୁ ଟିକା ନେଇପାରୁ ନ ଥିବାବେଳେ ଅନ୍ୟ ରୋଗୀମାନେ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ।
ଏପରିକି ଗୁରୁତର ନବଜାତ ଶିଶୁ ଏସଏନସିୟୁ ସେବାରୁ ମଧ୍ୟ ବଞ୍ଚିତ ହଉଛନ୍ତି । ଦିନବେଳା ରୁମ ଭିତରେ ପିଲାଙ୍କୁ ବିଞ୍ଚି ବିଞ୍ଚି ମାଆ ଛୁଆକୁ ସୁଆଉ ଥିବାବେଳେ ରାତିହେଲେ ବାହାରେ ରୋଗୀ ଶୋଉଥିବାର ଦେଖିବାକୁ ମିଳୁଛି । ଏପରିକି ବିଦ୍ୟୁତ ସେବା ନଥିବାରୁ ମୋବାଇଲ ମଧ୍ୟ ଚାର୍ଜ ନ ରହିବାରୁ କୌଣସି ଗୁରୁତର ରୋଗୀ ଆସିଲେ ଆମ୍ବୁଲାନ୍ସକୁ ଖବର ଦେବା ସମ୍ଭବପର ହୋଇପାରୁନାହିଁ । ମେଡିକାଲ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ୨୦ଦିନ ହବ ଏହାର ସମାଧାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟିଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ