ମାଲକାନଗିରି: କୋଟି କୋଟି ବ୍ୟୟରେ ଅଟକଳ ହେଉଛି ମାଳ ମାଳ ଯୋଜନା । ହେଲେ ଆଜି ବି ବିକାଶର ଫଳ ଶୂନ । ବିଂଶ ଶତାବ୍ଦୀରେ ବି ପାଣି ମୁନ୍ଦେ ପାଇଁ ଚୁଆ ଉପରେ ନିର୍ଭର କରିବାକୁ ପଡୁଛି ଜନସାଧାରଣଙ୍କୁ । ଏପରି ବିକାଶର ନଗ୍ନଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଏଠାରେ ବସୁଧା ଯୋଜନା କେବଳ ନାଁକୁ । 5 ଖଣ୍ଡ ଗାଁର ଲୋକଙ୍କ ସାହାରା ପଲଟିଛି ଦୁଇଟି ଚୂଆ ।
ଓଡିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ ମାଲକାନଗିରି ଜିଲ୍ଲାର ତଣ୍ଡିକି ପଞ୍ଚାୟତ ଯେଉଁଠି ନିଜର କ୍ଷୁଧା ମେଣ୍ଟେଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଚୂଆ ଏବଂ ଝରଣା ଉପରେ ନିର୍ଭର କରିଥାନ୍ତି l ବାହାଲ ଗୁଡା ଗ୍ରାମର ବସବାସ କରୁଥିବା 75 ଟି ପରିବାର ଗୋଟିଏ ମାତ୍ର ଚୂଆରୁ ପାଣି ସଂଗ୍ରହ କରି ସେହି ପାଣିକୁ ପିଇବା ପାଇଁ ବ୍ୟବହାର କରିଥାନ୍ତି l ଖରାଦିନ ଆସିଲେ ଗୋଟିଏ ହାଣ୍ଡି ପାଣି ପାଇଁ ପାଖାପାଖି 30 ମିନିଟ ପାଣି ଝର ଦେବାକୁ ଅପେକ୍ଷା କରିଥାନ୍ତି l ଗ୍ରାମରେ ଥିବା ନଳକୂପକୁ ନେଇ ପାନୀୟ ଜଳ ପାଇଁ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ l
ପାଣିରେ ଲୁହା ଗୁଣ୍ଡ ପଡିବା ସହ ପାଣି ରଖିବାର ଅଳ୍ପ ସମୟ ପରେ ପାଣିର ରଙ୍ଗ ଲାଲ ହୋଇ ଯାଇଥାଏ l ଖରା ଦିନେ ନିଜର ନିତ୍ୟ ବ୍ୟବହାର ପାଇଁ ସ୍ଥାନୀୟ ବାସିନ୍ଦା ପୋଖରୀର ଦୂଷିତ ଜଳ ଉପରେ ନିର୍ଭର କରିଥାନ୍ତି l ସରକାରୀ ଅଧିକାରୀମାନଙ୍କ ପାଖକୁ ବାରମ୍ବାର ଯିବା ପରେ ମଧ୍ୟ ଆଜି ଯାଏଁ ସମସ୍ୟାର ସମାଧାନ ହୋଇପାରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ଅସୁବିଧାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ l ଗାଁକୁ ଇଲେକ୍ସନ ସମୟରେ ଅନେକ ନେତାମନ୍ତ୍ରୀ ଯାଉଛନ୍ତି ସତ କିନ୍ତୁ ଏନେଇ ଆଜି ଯାଏଁ କେହି ବି ସମାଧାନ କରିନଥିବା କହିଛନ୍ତି ଗ୍ରାମବାସୀ । ଏ ସମସ୍ତ ସମସ୍ୟାକୁ ନେଇ ମାଲକାନଗିରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ବାରିକଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଛନ୍ତି ।
ସମସ୍ତ ଗ୍ରାମକୁ ବସୁଧା ଯୋଜନା ପହଞ୍ଚିଛି ବୋଲି କହିବା ସହ କୌଣସି ଗ୍ରାମରେ କିଛି ବି ଅସୁବିଧା ନଥିବା କହିଛନ୍ତି । ଯାହା ଏଠାରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମ୍ପାଦନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯେଉଁଠି ବସୁଧା ଯୋଜନା ନେଇ ଲୋକଙ୍କ ଅଭିଯୋଗକୁ ବିଭାଗୀୟ ଅଧିକାରୀ ସିଧାସଳଖ ଖଣ୍ଡନ କରୁଛନ୍ତି, ସେଠାରେ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କେତେ ନିଖୁଣ ତାହା ସ୍ପଷ୍ଟ ବାରି ହୋଇପଡୁଛି ।
ମାଲକାନଗିିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ