ମାଲକାନଗିରି: ଶନିବାର ମାଓ ଅଞ୍ଚଳ ପରିଭ୍ରମଣ କଲେ ଡିଜିପି ଅଭୟ । ଡିଜିପିଙ୍କ ସହ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭିନୟ ତୋଷ ମିଶ୍ର, ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ଆଧୁନିକିକରଣ ରେଖା ଲୋହାନି, ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ସ୍ବତନ୍ତ୍ର ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା, ଡିଆଇଜି ଗୁଇନ୍ଦା ଅନିରୁଦ୍ଧ ସିଂ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଶଫିନ ଅହମ୍ମଦ କେ ବାୟୁସେନାର ଦୁଇଟି ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେଁ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇଥିଲେ । ଜାନବାଇ, ଯନ୍ତାପାଇ ଓ ବଡପଡା ଠାରେ ଥିବା ପୋଲିସ କ୍ୟାମ୍ପର ସୁରକ୍ଷା ବ୍ୟବସ୍ତାକୁ ଯାଞ୍ଚ କରିଥିଲେ ଏହି ବରିଷ୍ଠ ପୋଲିସ ଟିମ୍ ।
ଏହାପରେ ବିଚ୍ଛିନ୍ନାଞ୍ଚଳର ବିକାଶକୁ ନେଇ ଆଦିବାସି ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ଡିଜିପି ଅଭୟ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପୁଣି ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଓଡିଶା ପୋଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ନକ୍ସଲ ପନ୍ଥିଙ୍କ ମୁକାବିଲା କରିବା ଲାଗି ନୁଆ ରଣନିତି ପ୍ରସ୍ତୁତ କରିଛନ୍ତି । ରାଜ୍ୟ ପୋଲିସ ବିଭାଗର ଏହି ବରିଷ୍ଠ ଆଇପିଏସ ଟିମ୍ ଆଜି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ରାତ୍ରୀ ଯାପନ କରିବେ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ