ମାଲକାନଗିରି: ଅଙ୍ଗନବାଡି କେନ୍ଦ୍ରରୁ ମିଳିଲା ମୃତଦେହ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଲୋକଙ୍କ ବିଶ୍ବାସ ହରାଉଛି ପୋଲିସ । ସାପ୍ତାହିକ ହାଟକୁ ବଜାର କରିବାକୁ ଆସିଥିବା ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ବିଏସଏଫ ଜବାନ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲୋକ ଅନ୍ତର୍ଗତ ଯନ୍ତାପାଇ ଅଙ୍ଗନବାଡି କେନ୍ଦ୍ରରୁ ଆଜି ଏକ ମୃତଦେହ ଉଦ୍ଧାର ହୋଇଛି। ଅଙ୍ଗନବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର ପରେ ଥାନା ଘେରାଉ କରିଛନ୍ତି ଲୋକେ । ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗ୍ରାମର ରାଜୁ ହନ୍ତାଳ ଗତ ଶୁକ୍ରବାର ଦିନ ନିଜ ଦୁଇ ଝିଅଙ୍କ ସହ ଯନ୍ତାପାଇ ହାଟକୁ ଯାଇଥିଲେ। ତେବେ ସେଠାରୁ 2 ଜଣ ବିଏସଏଫ ଜବାନ ରାଜୁଙ୍କୁ ଡାକି ନେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଝିଅ ।
ଶୁକ୍ରବାର ଠାରୁ ରାଜୁ ନିଖୋଜ ଥିବା ବେଳେ ଗତକାଲି ରାତିରେ ରାଜୁଙ୍କ ପରିବାର ଲୋକେ ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରେ ମୃତଦେହ ଦେଖିଥିଲେ । ରାଜୁଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କୁ ବିଏସଏଫ ଜବାନ ମାନେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବଡପଡା ଥାନା ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ ହେଲେ ଗାଁ ଲୋକେ ଘଟଣାର ତଦନ୍ତ ଦାବି କରିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ