ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ପୋଲ ଉପରେ ଚାଲୁଛି ୪ଫୁଟ ପାଣି । ଯାହାଫଳରେ ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତ 3ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବା ଦ୍ବାରା ନାଳ ନଦୀରେ ବର୍ଷା ପାଣି ପ୍ରଭାବିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗାଁ ଗହଳି ରାସ୍ତା ଗୁଡିକରେ ଥିବା ପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବ୍ୟାହତ ହେବାସହ ଆଜି ସମଗ୍ର ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନ ହୋଇ ଯାଇଛି । ଏହି ଲଗାଣବର୍ଷା ଦ୍ବାରା ବିଶେଷ କରି ମାଲକାନଗିରି କାଲିମେଳା ମୋଟୁ ମୁଖ୍ୟ ଜାତୀୟ ରାଜପଥ ପୋଟେରୁ ଓ କାଙ୍ଗୁରକୋଣ୍ଡା,ଏମଭି୯୦, ଏମଭି୭୯,ଏମଭି୯୬, ମହାରାଜପାଲି,ପୋଲ ଉପରେ ୪ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ମାଲକାନଗିରି ଠାରୁ କାଲିମେଳା, ଏମଭି୭୯, ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଏଥି ସହିତ କାଲିମେଳା ପଡିଆ ରାସ୍ତାର ପୋଟେରୁ କନ୍ୟାଶ୍ରମ ପୋଲ ଉପରେ ୩ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହୋଇ କାଲିମେଳା ପଡିଆକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।
ଠିକ ସେହିପରି ମାଲକାନଗିରି ବାଲିମେଳା ମୁଖ୍ୟ ରାଜପଥ ଏମଭି୧୧, କୋରକୁଣ୍ଡା,ଏମଭି୩୭ ପୋଲ ଉପରେ ୩ଫୁଟଉଚ୍ଚର ପାଣି ପ୍ରାଭାବିତ ହେଉଥିବାରୁ ମାଲକାନଗିରିରୁ ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗା ଯୋଗ ବିଛିନ୍ନ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଛି । ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲନିକଟ ରାସ୍ତାର ଦୁଇପାଶ୍ବରେ ଯାନବାହନ ପୋଲପାର ହୋଇନପାରି ରାସ୍ତାର ଦୁଇପାଶ୍ବରେ ବର୍ଷାରେ ଅଟକି ରହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ