ମାଲକାନଗିରି: ପୌର ପରିଷଦ ଅଧୀନରେ ରହିଥିବା ଗୁଣ୍ଡ୍ରିଗୁଡା ବସ୍ତିକୁ ଉଚ୍ଛେଦ କରାଯାଇଥିଲା । ପ୍ରାୟ ୧୦ ଏକର ସରକାରୀ ଜାଗାକୁ ଜବରଦଖଲ କିଛି ଲୋକ ପକ୍କା ଗୃହ ନିର୍ମାଣ କରିଥିବା ଯୋଗୁଁ ଉଚ୍ଛେଦ କରାଯାଇଥିବା ନେଇ କୁହାଯାଇଥିଲା । ଏହାକୁ ନେଇ ବିରୋଧ କରିଥିଲେ ବସ୍ତିବାସିନ୍ଦା । ତେବେ ଏହାକୁ ନେଇ ରାଜସ୍ବ ନିରୀକ୍ଷକଙ୍କ ନାମରେ ପାଲଟା ଅଭିଯୋଗ ଆଣିଛି କଂଗ୍ରେସ । ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ର, ଜି.ଶ୍ରୀନିବାସ ରାଓ, ପର୍ଶୁ ରାମ ଭକ୍ତ, ପଦ୍ମ ପାଙ୍ଗୀ, ପ୍ରାଣକୃଷ୍ଣ ମଣ୍ଡଳ ପ୍ରମୁଖ ସିଧାସଳଖ ପୌର ପରିଷଦର ଏବଂ ତହସିଲ କାର୍ଯ୍ୟାଳୟର ରାଜସ୍ବ ନୀରିକ୍ଷକଙ୍କ ନାମରେ ଅଭଯୋଗ ଆଣିଥିଲେ ।
ଏନେଇ କଂଗ୍ରେସ ନେତା କହିଛନ୍ତି, "ଏମାନେ ସରକାରୀ ଜମିରେ ଗୃହ ନିର୍ମାଣ କରିଥିବା ବ୍ୟକ୍ତିମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଜାଗା ପ୍ରଦାନ କରିଥିଲେ । ଆମେ ସରକାରୀ ଜମିରେ ଗୃହ ନିର୍ମାଣ କରାଯାଉଥିବା ନେଇ ଜାଣିବା ପରେ ସେଠାକୁ ଯାଇ ସେହି ଲୋକଙ୍କୁ ବୁଝାସୁଝା କରିଥିଲୁ । ଏହା ପ୍ରଶାସନ ତରଫରୁ କୌଣସି ଏକ ଉନ୍ନୟନ କାମ ପାଇଁ ରଖାଯାଇଥିବା ନେଇ ବହୁତ ବୁଝାଇଥିଲୁ ।
ଏହା ମଧ୍ୟ ପଢନ୍ତୁ: ଗାନ୍ଧୀ ମାଣ୍ଡେଲା ପୁରସ୍କାରରେ ସମ୍ମାନିତ ହେଲେ ଧର୍ମଗୁରୁ ଦଲାଇଲାମା
ଶନିବାର ଘର ଭଙ୍ଗାବେଳେ, କଂଗ୍ରେସର ଜି.ଶ୍ରୀନିବାସ ରାଓ ଟଙ୍କା ନେଇଥିବା ନେଇ ସେଠାରେ ଅଭିଯୋଗ କରାଯାଇଥିବାରୁ ଶ୍ରୀନୀବାସ ଏହାକୁ ମିଥ୍ୟା ବୋଲି କହିବା ସହ ପୌରପରିଷଦ ଅଧ୍ୟକ୍ଷ ଏବଂ ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ମିଳିମିଶି ଏହି ଜାଗାକୁ ବିକ୍ରି କିଦେଇଥିବା ଅଭିଯୋଗ କରିଥିଲେ । ତେବେ ଆମେ ପ୍ରଶାସନକୁ ସହଯୋଗ କରୁଛୁ, ପ୍ରଶାସନ ଯାହା କରି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଥିଲା କଂଗ୍ରେସ ।
ଅନ୍ୟ ଦିଗରେ ପୌର ପରିଷଦର ଅଧ୍ୟକ୍ଷ ମନୋଜ ବାରିକଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, "ଏହା ସମ୍ପୁର୍ଣ୍ଣ ଭିତ୍ତିହୀନ । ଏ ସଂପର୍କରେ କିଛି ଜାଣିନଥିଲି । ଆଜି ହିଁ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ବିଷୟ ଜାଣିଲି । କଂଗ୍ରେସ ମିଥ୍ୟାରେ ଏଭଳି ଗୁରୁତର ଅଭିଯୋଗ କରୁଛି । ଯାହାର କୌଣସି ସତ୍ୟତା ନାହିଁ ।" ତେବେ ସଂପୃକ୍ତ ତହସିଲ କାର୍ଯ୍ୟଳୟର ରାଜସ୍ବ ନିରୀକ୍ଷକଙ୍କୁ କିନ୍ତୁ ଏହି ପଦରୁ ହଟାଯାଇଥିବା ଜଣାପଡିଛି। ତାଙ୍କ ସ୍ଥାନରେ ଆଉ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ସୂଚନା ରହିଛି ।
ଇଟିଭି ଭାରତ, ମାଲକାନଗିରି