ମାଲକାନାଗିରି : ରୋକ ଲାଗି ପାରୁନି ଜଙ୍ଗଲ ଜନ୍ତୁଙ୍କ ସଡ଼କ ଜନିତ ମୃତ୍ୟୁ । ପୁଣି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଭାଲୁର ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲା ମାଥିଲି ରେଞ୍ଜର ଭୋଇଗୁଡା ଠାରେ ଗତକାଲି (ବୁଧବାର) ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ମୃତ୍ୟୁ ହୋଇଥିଲା । ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରିଥିଲେ ।
ପରେ ମାଥିଲି ରେଞ୍ଜ କାର୍ଯ୍ୟାଳୟରେ ନେଇ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ । ତେବେ କେଉଁ ଗାଡ଼ି ଏଭଳି ଦୁର୍ଘଟଣା ଘଟାଇଛି ତାକୁ ନେଇ ଅଧିକ ତଦନ୍ତ କରୁଛି ବନବିଭାଗ ଏବଂ ମାଥିଲି ଥାନା ପୋଲିସ । ଏ ସମ୍ପର୍କରେ ଏସିଏଫ କନ୍ଧନ ସିଂ କହିଛନ୍ତି ''ଗତକାଲି(ବୁଧବାର) ରାତି ପ୍ରାୟ ୮ଟାରେ ଗୋବିନ୍ଦପାଲି ବନକର୍ମଚାରୀ ଜାଣିବାକୁ ପାଇଲେ ଗୋବିନ୍ଦପାଲିରୁ ବାଲିଗୁଡ଼ା ଯିବା ରାସ୍ତାର ଭୋଇଗୁଡ଼ା ନିକଟସ୍ଥ ରାସ୍ତା ଉପରେ ଗୋଟିଏ ଭାଲୁ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିକି ପଡ଼ିଛି । ଏହାପରେ ତୁରନ୍ତ ବନକର୍ମଚାରୀ ସେଠାରେ ପହଞ୍ଚି ଭାଲୁକୁ ମୃତ ଅବସ୍ଥାରେ ଉଦ୍ଧାର କରି ରେଞ୍ଜ ଅଫିସକୁ ଆଣିଥିଲେ । ପରେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ଏହାର ମୃତଦେହ ବ୍ୟବଚ୍ଛେଦ କରିବାକୁ କହିଥିଲେ । ଆଜି ସକାଳେ ଭାଲୁର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ତେବେ ଭାଲୁର ମୃତ୍ୟୁକୁ ନେଇ ତଦନ୍ତ ଚାଲିଛି । କେଉଁ ଗାଡ଼ି ଧକ୍କାରେ ଭାଲୁର ମୃତ୍ୟୁ ହୋଇଛି ତାହାର ତଦନ୍ତ କରୁଛି ବନ ବିଭାଗ ।''
ଇଟିଭି ଭାରତ, ମାଲକାନାଗିରି