ମାଲକାନଗିରି: ଲାଲ୍ ବାହିନୀର ନାଲି ଆଖି ! ବିଛିନ୍ନାଞ୍ଚଳରେ ମୋବାଇଲ ବ୍ୟାନ୍ ! ମୋବାଇଲରେ କଥା ହେଲେ ମିଳିବ ମୃତ୍ୟୁଦଣ୍ଡ ! ତାଗିଦ୍ କରି ମାରିଲେ ନୋଟିସ୍ । କିଛିଦିନର ବ୍ୟବଧାନ ପରେ ପୁଣି ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିବାକୁ ଏପରି କିଛି ଲେଖାଥିବା ପୋଷ୍ଟର ବିଛିନ୍ନାଞ୍ଚଳରେ ଲଗାଇଛି ।
ଚିତ୍ରକୋଣ୍ଡାର ଓରାପଦର ଘାଟରେ ଏପରି ଧମକପୂର୍ଣ୍ଣ ଫତଓ୍ବା ଜାରି କରିଛି ମାଓବାଦୀ ସଂଗଠନ । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ ମାଓବାଦୀଙ୍କ ଏପରି ଧମକ ଆଦିବାସି ଲୋକଙ୍କ ମାନବ ଅଧିକାର ଉଲଙ୍ଘନ କରୁଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଛିନ୍ନାଞ୍ଚଳରେ 4ଟି ବିଏସଏଫ କ୍ୟାମ୍ପ ସ୍ଥାପନ କରିଛି ଜିଲ୍ଲା ପୋଲିସ । ଆଦିବାସୀ ଲୋକଙ୍କ ବିକାଶ ଲାଗି ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଉପରେ ଏବେ ଅଧିକା ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ ।
ତେବେ ଏସବୁକୁ ନେଇ ଭୟଭିତ ଥିବା ଲାଲବାହିନୀ ଏପରି କରିଛି । ଲାଲ ସାମ୍ରାଜ୍ୟକୁ ପୁଣି ଥରେ ସଜାଡିବାକୁ ମାଓବାଦୀମାନେ ଏପରି କରୁଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ପୋଲିସ କହିଛି । ସେହିପରି ଏହି ଅଞ୍ଚଳରେ ଦୁଇଟି ମୋବାଇଲ ଟାୱାର ଲଗାଯାଇଥିବାବେଳେ ଆଗାମୀ ଦିନରେ ସମସ୍ତ ପଞ୍ଚାୟତରେ ମୋବାଇଲ ଟାୱାର ଲଗାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ