ମାଲକାନଗିରି: ଛତିଶଗଡ ସୀମାନ୍ତ ଦୁର୍ଗମ ତୁଳସୀ ପାହାଡ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କଲେ ଏଡିଜି ଅପରେସନ ଓ ଗୁଇନ୍ଦା ନିର୍ଦ୍ଦେଶକ। ଶୁକ୍ରବାର ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଅମିତାଭ ଠାକୁର ତୁଳସୀ ଗାଁରେ ପହଞ୍ଚି ନୂତନ ଭାବେ ପ୍ରତିଷ୍ଠିତ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ମାଓ ସମୀକ୍ଷା କରିଥିଲେ । ଏହି ସମୟରେ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସପି ନିତେଶ ୱାଧାନୀ, ବରିଷ୍ଠ ବିଏସଏଫ ଧୂକାରୀ ମଧ୍ୟ ଉପସ୍ଥିତ ଥିଲେ।
ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହିତ ମାଓ ଦମନ ରଣନୀତି ପ୍ରସ୍ତୁତ କରିବା ସହ ମାଓ ସମୀକ୍ଷା କରାଯାଇଥିଲା । ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏଡିଜି ଅପରେସନ ଓ ଗୁଇନ୍ଦା ନିର୍ଦ୍ଦେଶକ । ଆୟୋଜିତ ଏକ ଜନସମ୍ପର୍କ ଶିବିର ଓ ସ୍ବାସ୍ଥ୍ୟ ଶିବିରରେ ଗ୍ରାମବାସୀଙ୍କୁ ଔଷଧ, ଖାଦ୍ୟ, ବସ୍ତୁ, ପିଲା ମାନଙ୍କୁ ପୋଷାକ, କେକ୍ ବଣ୍ଟନ କରାଯାଇଥିଲା । ତୁଳସୀ ପାହାଡ଼ରେ ପ୍ରଥମ ଥର ପାଇଁ ଏଡ଼ିଜି ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ପଣ୍ଡାଙ୍କୁ ଦେଖି ଆଦିବାସୀ ମହିଳା ଓ ପୁରୁଷମାନେ ପାରମ୍ପରିକ ବାଦ୍ୟ ନୃତ୍ୟ କରି ଫୁଲ ଚନ୍ଦନ ଦେଇ ଗ୍ରାମମଧ୍ୟକୁ ପାଛୋଟି ନେଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ , ଏକଦା ତୁଳସୀ ପାହାଡ଼ ମାଓବାଦୀଙ୍କ କ୍ୟାମ୍ପ୍ ଥିଲା । ତୁଳସୀ ପାହାଡ଼କୁ ମାଓଗଡ଼ ପରିଣତ କରି ସେଠାରେ ମାଓବାଦୀମାନେ ବଡ଼ବଡ଼ ହିଂସା କାଣ୍ଡର ଯୋଜନା ପ୍ରସ୍ତୁତ କରୁଥିଲେ । ଗତ କିଛିଦିନ ତୁଳସୀ ପାହାଡ଼ରେ ନୂତନ ଭାବେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ହିଂସା ହ୍ରାସ ପାଇଛି । ଗ୍ରାମବାସୀମାନେ ମାଓବାଦୀଙ୍କ ସମର୍ଥନ ଛାଡି ପୋଲିସ ଓ ପ୍ରଶାସନକୁ ସହଯୋଗର ହାତ ବଢାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଆଇଜି ଅପରେସନ, ମାଓ ସ୍ଥିତିର କଲେ ସମୀକ୍ଷା
ଦାନ୍ତେୱାଡା ଆଇଡି ବିସ୍ଫୋରଣ ଘଟଣା ପରେ ଜିଲ୍ଲାରେ ମେ' 8 ତାରିଖରେ ଏକ ଚିଠି ଜାରି କରିଥିଲେ ମାଓବାଦୀ ସଂଗଠନ । ସାଉଥ୍ ସବ୍ ଜୋନାଲ ବ୍ୟୁରୋ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମୁଖପାତ୍ରଙ୍କ ପକ୍ଷରୁ ଚିଠି ଜାରି କରାଯାଇଥିଲା । ପ୍ରତି ଦୁଇ ତିନି କିଲୋମିଟର ଦୂରରେ ପୋଲିସ କ୍ୟାମ୍ପ୍ ପ୍ରତିଷ୍ଠା କରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରୁଥିବା ଚିଠିରେ ଉଲ୍ଲେଖ ରହିଥିଲା ।
ଇଟିଭି ଭାରତ, ମାଲକାନଗିରି