ମାଲକାନଗିରି: ଆଉ ଜଣେ ବୁଦ୍ଧିଆ ସିଂ । ବୟସ ମାତ୍ର ୬ବର୍ଷ । ହେଲେ ବିନା ଵିଶ୍ରାମରେ ଦୌଡ଼ିପାରୁଛନ୍ତି ଦୀର୍ଘ ୧୭ କିଲୋମିଟର । ଏହି କୁନି ଧାବକଙ୍କ ନାମ ହେଉଛି ରୁଦ୍ର ସେଠୀ । ଆଜି ହକି ବିଶ୍ବକପ ଓ ମାଲ୍ୟବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ରୁଦ୍ର । କୋରକୁଣ୍ଡରୁ ମାଲକାନଗିରି ପର୍ଯ୍ୟନ୍ତ ଦୀର୍ଘ ୧୫ କିଲୋମିଟର ଦୌଡ଼ିବା ସମ୍ପୂର୍ଣ୍ଣ କରିଥିଲେ । ପ୍ରତିଯୋଗିତାରେ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ରୁଦ୍ର ପାଲଟିଥିଲେ ଷ୍ଟାର ରନର୍ ।
କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ରୁଦ୍ର ସେଠୀ ଯେତେ ଦୌଡ଼ିଲେ ମଧ୍ୟ କ୍ଲାନ୍ତ ହେଉନଥିଲା । ତେଣୁ ପ୍ରଶାସନ ରୁଦ୍ରକୁ ଏହି ମାରଥନରେ ସାମିଲ କରିଥିଲା । କିନ୍ତୁ ରୁଦ୍ର ସମସ୍ତଙ୍କୁ ପଛରେ ପକାଇ ବିନା ବିଶ୍ରାମରେ ୧୭ କିଲୋମିଟର ଦୌଡ଼ି ଥିଲା।ଯାହାକୁ ଦେଖି ଅଛଯ୍ୟ ହୋଇଯାଇଥିଲେ ସମସ୍ତେ । ୧୭ କିଲୋମିଟର ଦୌଡ଼ିବା ପରେ ମଧ୍ୟ କୌଣସି କ୍ଲାନ୍ତ ହୋଇ ନଥିଲା ବାଳକ । ପ୍ରତ୍ୟେକ ଦିନ ୧୦ କିଲୋମିଟର ଦୌଡ଼ ଅଭ୍ୟାସ ରଖିଛି ରୁଦ୍ର। ୩ ବର୍ଷ ବୟସରୁ ଅଭ୍ୟାସ ଜାରି ରଖିଛି । ରୁଦ୍ର ଅଜାଙ୍କ ସହ ପ୍ରତ୍ୟେକ ଦିନ ପଡ଼ିଆରେ ଅଭ୍ୟାସ କରୁଛି । ରୁଦ୍ରକୁ ଏଭଳି ଅଭ୍ୟାସ କରାଇ ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ରୁଦ୍ରର ଅଜା ଡି ରବୀନ୍ଦ୍ର । ରବୀନ୍ଦ୍ର ପୋଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ ।
ମାଲକାନଗିରି ସହରର ଅଧିବାସୀ ହେଉଛନ୍ତି ରୁଦ୍ର ପ୍ରସାଦ ସେଠୀ । ଏହି ମାରାଥନ ପ୍ରତିଯୋଗିତାରେ ଭାଗ ନେବା ପାଇଁ କୁନି ଧାବକ ରୁଦ୍ର ଏକ ଭିଡିଓ ଜରିଆରେ ଅନୁରୋଧ କରିଥିଲେ । କୁନି ଧାବକଙ୍କ ଏପରି ଆଗ୍ରହ ଦେଖି ପ୍ରଶାସନ ତାଙ୍କୁ ଦୌଡ଼ିବା ପାଇଁ ସୁଯୋଗ ଦେଇଥିଲେ । ଆଜି ସକାଳେ ଅନ୍ୟ ପ୍ରତିଯୋଗୀମାନଙ୍କ ସହିତ ସଫଳତାର ସହ ରୁଦ୍ର କୋରକୁଣ୍ଡରୁ ମାଲକାନଗିରି ଦୀର୍ଘ ୧୫କିଲୋମିଟ ଦୂର ଦୌଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ଓଡ଼ିଶା ହକି ପୁରୁଷ ବିଶ୍ବକପ୍ ୨୦୨୩ର ଅୟୋଜକ ସାଜିଛି । ଏହାକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ । ସହରର ବିଭିନ୍ନ ସ୍ଥାନରେ ହକି ବିଶ୍ବକପ ଲାଗି ପ୍ରତିଯୋଗିତା ହେଉଛି । ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଏକ ମିନି ମାରଥାନର ଆୟୋଜନ ହୋଇଯାଇଛି ।
ଏହା ବି ପଢନ୍ତୁ- ମାଲ୍ୟବନ୍ତ ମହୋତ୍ସବ ପୂର୍ବରୁ ଆମ୍ମକୁଣ୍ଡ ଠାରୁ ଜଳ ସଂଗ୍ରହ ଶୋଭାଯାତ୍ରା
ବିଶ୍ବକପ ହକି ମହକୁମ୍ଭ ସହ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତକୁ ଉତ୍ସାହର ସହ ପାଳନ କରିବା ସହ ପରସ୍ପର ମଧ୍ୟରେ ସଂହତି ସ୍ଥାପନ କରିବା ଉଦ୍ଦେଶ୍ୟ ନେଇ ଆଜି ଏହାର ଆୟୋଜନ କରାଯାଇଛି । ଏହା କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ମାଲକାନଗିରି ବୁଟିଗୁଡା ବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥଲା । ବୁଟିଗୁଡ଼ାଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବଳଭଦ୍ର ଦୀପ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଧ୍ରୁବଚରଣ ମୁଦୁଲି ଏବଂ ଡିପିଏମ ମିଶନ ଶକ୍ତି ପବିତ୍ର ମୋହନ ବାରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଗଣ ଦୌଡରେ ପ୍ରାୟ ୨୦୦ ଜଣ ମହିଳା ଓ ପୁରୁଷ ଭାଗ ନେଇଥିଲେ । ଏହି ଗଣଦୌଡରେ ୬ ବର୍ଷର ଶିଶୁ ରୁଦ୍ର ପ୍ରସାଦ ସେଠୀ ମୁଖ୍ୟ ଆକର୍ଷଣ ପାଲଟିଥିଲେ ।
ରୁଦ୍ର ପ୍ରତିଯୋଗିତାର ଟାର୍ଗେଟ କରାଯାଇଥିବା ୧୫ କିଲୋମିଟର ରାସ୍ତା ଅତିକ୍ରମ କରି ଗଣଦୌଡକୁ ସମ୍ପୂର୍ଣ୍ଣ କରିଛନ୍ତି । ସେହିପରି ବୁଟିଗୁଡାଠାରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମଣ୍ତ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଗଣଦୌଡରେ ବୁଦ୍ରାବିଶି ନାୟକ, ଫୁଲ ସୁନ୍ଦର ପୁଜାରୀ ଓ ସୁନୀଲ ମାଢି ପୁରୁଷଙ୍କ ବର୍ଗରେ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହିଳାଙ୍କ ବର୍ଗରେ ପ୍ରିତିରେଖା ମାର୍ଜି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ସ୍ଵେଚ୍ଛାସେବୀ ଓ ପ୍ରତିଯୋଗୀଙ୍କ ପାଇଁ ଟି-ସାର୍ଟର ବ୍ୟବସ୍ଥା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଗଣଦୌଡକୁ ସଫଳ କରାଇଥିଲେ ।
ଇଟିଭି ଭାରତ, ମାଲକାନଗିରି