ମାଲକାନିଗିରି: ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋର ଓ ପଞ୍ଜାବର ଅମୃତସର ଠାରେ ଆୟୋଜିତ ଯୁବ ମହୋତ୍ସବକୁ ଯିବା ପାଇଁ ମାଲକାନଗିରି ଜିଲ୍ଲାର ୩୦ ଜଣ ଆଦିବାସୀ ଯୁବକ ଯୁବତୀ ଚୟନ ହୋଇଛନ୍ତି । ଯୁବ ମହୋତ୍ସବରେ ସାମିଲ ହୋଇଥିବା ଯୁବକଯୁବତୀଙ୍କୁ ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ସମ୍ବର୍ଦ୍ଧ୍ବନା ଦିଆଯାଇଛି । ବିଏଏସେଫ କମାଣ୍ଡାଣ୍ଟ ଶିବ ଓମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଯାତ୍ରାର ସଫଳ କାମନା କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏଫ ବାଟାଲିୟନର ଏ. କେ ସିଂ, ଡେପୁଟି କମାଣ୍ଡେଣ୍ଡ ଶୁଭ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ରଦ୍ଧାକର ପାଢ଼ୀ, ନେହେରୁ ଯୁବକେନ୍ଦ୍ରର ପ୍ରତିନିଧି ସନ୍ତୋଷ ପାତ୍ର ଏବଂ ଅନ୍ୟାନ୍ୟ ବିଏସ୍ଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ଆୟୋଜିତ ଯୁବ ମହୋତ୍ସବକୁ ଯାଇଥିବା ୩୦ ଜଣ ପ୍ରାର୍ଥୀ ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମରୁ ଆସିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରକୁ ୧୦ଜଣ ଓ ପଞ୍ଜାବ ଅମୃତସରକୁ ୨୦ ଜଣ ଯୁବଗୋଷ୍ଠୀଙ୍କୁ ପଠାଯାଇଛି । ସେମାନଙ୍କ ମଧ୍ୟରେ ୮ ଜଣ ଯୁବତୀ ଅଛନ୍ତି । ୩ ଜଣ ବିଏସ୍ଏଫ୍ ଅଧିକାରୀ ସେମାନଙ୍କ ସହିତ ଏସକର୍ଟ ଭାବରେ ଯାଇଛନ୍ତି । ଏହି ଭ୍ରମଣ ସମୟରେ ଯୁବଗୋଷ୍ଠୀମାନେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଓ ପଞ୍ଜାବର ଅମୃତସରରେ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ।
ଭାରତ ନେହେରୁ ଯୁବା କେନ୍ଦ୍ର ସଂଗଠନ (ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ) ସହଯୋଗରେ ସୀମା ସୁରକ୍ଷା ବଳ (ଗୃହ ମନ୍ତ୍ରଣାଳୟ ) ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହାପୂର୍ବରୁ ୧୪ /୧୫ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ୨୦୨୨-୨୩ ଅନୁର୍ଗତ ୯ଟି ପର୍ଯ୍ୟାୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ପୁଡୁଚେରୀ, ନୂଆଦିଲ୍ଲୀ, ଚଣ୍ଡିଗଡ଼ ଏବଂ କୋଚି, ପଞ୍ଚକୁଲ୍ଲା, ହାଇଦ୍ରାବାଦ, ଶିମଲା, କୋଏମ୍ବାଟୁରରେ ସଫଳତାର ସହ ସମାପ୍ତ ହୋଇଥିଲା ।
ଯେଉଁଥରେ ମାଲକାନଗିରି ଜିଲ୍ଲାର ମୋଟ ୩୦୪ ଜଣ ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଏହି ସମଗ୍ର ଭ୍ରମଣରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଅଂଶ ଗ୍ରହଣ କରିବେ । ସେମାନେ କ୍ୟାରିୟର ଗାଇଡ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଉପରେ କାଉନସେଲିଂରେ ମଧ୍ୟ ଦିଗ ପାଇବେ । ଦେଶର ସାମାଜିକ ଏବଂ ସାଂସ୍କୃତିକ, କୃଷି, ପ୍ରମୁଖ ଶିଳ୍ପ / କର୍ପୋରେଟ୍ ହାଉସ୍, ଜାତୀୟ ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନ, ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବେ । ଏହାଦ୍ବାରା ସେମାନଙ୍କୁ ଏକ ବଡ଼ ପ୍ଲାଟଫର୍ମରେ ଉତ୍ତମ ଏକ୍ସପୋଜର୍ ଯୋଗାଇବା ପାଇଁ ଯୋଜନା କରାଯାଇଛି ଯାହାକି ସେମାନଙ୍କୁ ଏକ ଉଜ୍ଜଳ କ୍ୟାରିୟର ଖୋଲିବାକୁ ସାହାଯ୍ୟ କରିବ ।
ଇଟିଭି ଭାରତ, ମାଲକାନିଗିରି