କୋରାପୁଟ: ଘରକୁ କୁଣିଆ ଆସିବା ଠାରୁ ଆରମ୍ଭ କରି ସକାଳର ଜଳଖିଆ ବା ଚା ପାଖରେ ଅତିକମ୍ରେ ଲୋଡା ହୋଇଥାଏ ବିସ୍କୁଟ । ବହୁବର୍ଷ ପୂର୍ବେ ସୁଦୂର ପର୍ସିଆରେ ଦୂର ଯାତ୍ରାରେ ଯାଉଥିବା ନାବିକଙ୍କ ପାଇଁ ବିସ୍କୁଟ ଉଦ୍ଭାବନ ହୋଇଥିବାବେଳେ ଆଜି ବିଶ୍ବବ୍ୟାପୀ ଘରେ ଘରେ ପ୍ରତିଟି ମୁହଁ ପାଖରେ ପହଞ୍ଚି ସାରିଲାଣି । ବିଭିନ୍ନ ପ୍ରକାରର ସ୍ବାଦ ଓ ବୈଶିଷ୍ଟ୍ୟ ପାଇଁ ଏହା ସାରା ଦୁନିଆରେ ନିଜର କାୟା ବିସ୍ତାର କରିପାରିଛି । ଆଜି ବିଶ୍ବ ବିସ୍କୁଟ ଦିବସ ପାଳନ ଅବସରରେ ଆମେ ସ୍ଥାନୀୟ ବଜାରରେ ବିସ୍କୁଟର ଚାହିଦା ଓ ପ୍ରକାରଭେଦ ସମ୍ପର୍କରେ ଜାଣିବାକୁ ଚାହିଁଥିଲୁ ।
ବିସ୍କୁଟ ବିକ୍ରେତା ପି. ରାଜେଶଙ୍କ କହିବା ଅନୁଯାୟୀ, ବଦଳୁଥିବା ସ୍ବାଦ, ରୂପରେଖ ଓ ଚାକଚକ୍ୟ ପ୍ୟାକିଙ୍ଗ ଯୋଗୁଁ ଅଧିକ ମୂଲ୍ୟର ବିସ୍କୁଟ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି । ଏହା ଛଡା ସ୍ଥାନୀୟ ବେକରୀରେ ତିଆରି ବିସ୍କୁଟର ମଧ୍ୟ ଗ୍ରହଣୀୟତା ରହିଥିବା ରାଜେଶ ପ୍ରକାଶ କରିଛନ୍ତି ।
କମ୍ପାନୀଗୁଡିକ ଦ୍ବାରା ଉନ୍ନତମାନର ମେସିନ ମାଧ୍ୟମରେ ପ୍ରସ୍ତୁତ କରୁଥିବା ବିସ୍କୁଟର ବହୁଳ ପ୍ରଚାର କରାଯାଉଥିବାରୁ ବିରାଟ ବଜାର ସୃଷ୍ଟି କରିବା ସମ୍ଭବ ହୋଇପାରୁଛି । ଫଳରେ ସ୍ଥାନୀୟ ବିସ୍କୁଟର ଚାହିଦା କମ୍ପାନୀ ବିସ୍କୁଟ ଅପେକ୍ଷା କମିଯାଇଥିବା କୋରାପୁଟର ବହୁ ପୁରାତନ ବେକରୀ 'ଓଡିଶା ବେକରୀ'ର ମାଲିକ ଅଶ୍ଵିନ ସାହୁ କହିଛନ୍ତି । ତଥାପି ସ୍ଥାନୀୟ ବେକରୀ ବିସ୍କୁଟର ସ୍ବତନ୍ତ୍ର ସ୍ବାଦ ରହିଛି ଓ ଯେଉଁମାନେ ଏହି ସ୍ବାଦ ସହିତ ଯୋଡି ହୋଇଛନ୍ତି । ସେମାନେ ଏହି ବିସ୍କୁଟ ନେବା ପାଇଁ ଆଜି ବି ବେକରୀରେ ପହଞ୍ଚିଥାନ୍ତି । ଏପରି ଅବସ୍ଥାରେ କ୍ଷୁଦ୍ର ବେକରୀ ଗୁଡିକୁ ପ୍ରୋତ୍ସାହନ କରିବା ପାଇଁ ସରକାର ଯଦି ସ୍ବତନ୍ତ୍ର ସହାୟତା ପାଇଁ ଯୋଜନା ପ୍ରଣୟନ କରନ୍ତେ, ଏହା ଅଧିକ ନିଯୁକ୍ତି ପ୍ରଦାନ କରିପାରନ୍ତା ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି ।
ନିଜ ଖାଦ୍ୟ ଭାବେ ବିସ୍କୁଟକୁ ବ୍ୟବହାର କରିବା ସହ ପଶୁପକ୍ଷୀଙ୍କ ସହ ସ୍ନେହର ସମ୍ପର୍କ ସ୍ଥାପନ କରିବା ପାଇଁ ମଧ୍ୟ ବିସ୍କୁଟକୁ ବ୍ୟବହାର କରୁଥିବା ସ୍ଥାନୀୟ ବାସିନ୍ଦା ବିମଳ ପଟ୍ଟନାୟକ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଆଦିବାସୀ ମହିଳାଙ୍କ ଦ୍ବାରା ମାଣ୍ଡିଆରେ ପ୍ରସ୍ତୁତ କରାଯାଉଥିବା ବିସ୍କୁଟ ଲୋକଙ୍କର ଆକର୍ଷଣ ବୃଦ୍ଧି କରିପାରିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ