କୋରାପୁଟ: ଘଞ୍ଚ ଜଙ୍ଗଲ ମଧ୍ୟରେ ପୂଜା ପାଉଛନ୍ତି ମାଆ ଷୋଳଭୂଜା। ଜୟପୁର ସହରରୁ କୁନ୍ଦୁରା ଯିବା ବାଟରେ କଳିଆଗାଁର ଜଙ୍ଗଲ ମଧ୍ୟରେ ମାଆ ଷୋଳଭୁଜାଙ୍କୁ ପୂଜା କରୁଛନ୍ତି ମହିଳା ପୂଜକ । ପ୍ରାୟ 15 ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଶହ ଶହ ବର୍ଷ ଧରି ଦେବୀଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ଜଙ୍ଗଲ ପରିବେଶ ମଧ୍ୟରେ ଏହି ଅସ୍ଥାୟୀ ମନ୍ଦିର ଚାରିପାଖେ ବିଭିନ୍ନ ଆକାରର ଓ ରୂପର ଚିକ୍କଣ ପଥର ପଡ଼ି ରହିଛି । ସେଥି ମଧ୍ୟରୁ କିଛି ଖମ୍ଵ ଆକାରର ହୋଇଥିବା ବେଳେ ଆଉ କିଛି ଦୁଆର ବନ୍ଧରେ ବ୍ୟବହୃତ ହୋଇଥିବା ପଥର ସଦୃଶ ଦେଖାଯାଉଛି । ଏହି ସ୍ଥାନ ଜୈନ ସଭ୍ୟତା ସହିତ ଜଡ଼ିତ ରହିଥାଇ ପାରେ ବୋଲି ଗବେଷକଙ୍କ ମତ ।
ମନ୍ଦିର ପୂଜକ ରାଧାରାଣୀ ନାୟକ କହିଛନ୍ତି ଯେ, ପୂର୍ବରୁ ଏହା ଅର୍ଦ୍ଧ ନିର୍ମିତ ପୁରାତନ ମନ୍ଦିର ଥିଲା । ଯାହାର ଭଗ୍ନାବଶେଷ ଭାବେ ଏଠାରେ ବିକ୍ଷିପ୍ତ ଭାବେ ପଡିରହିଥିବା ପଥର ଗୁଡିକ ମୁକ ସାକ୍ଷୀ ହୋଇ ରହିଛନ୍ତି । ପଥର ଗୁଡିକ ମଧ୍ୟରୁ ଅତୀତରେ ଶିବ ଲିଙ୍ଗ ଓ କାଳୀଙ୍କ ମୂର୍ତ୍ତି ମଧ୍ୟ ମିଳିଛି। ଏଠାକୁ ପ୍ରତିବର୍ତ୍ତ ଓଡିଶାର କୋଣ ଅନୁକୋଣରୁ ଓ ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଆସିଥାଆନ୍ତି । ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାଆ 16ଟି ହାତର ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରିଥିବାରୁ ତାଙ୍କୁ ଷୋହଳଭୂଜା ବୋଲି କୁହାଯାଏ ।
ମନ୍ଦିର ପ୍ରତିମୂର୍ତ୍ତି ଓ ପଥରଗୁଡ଼ିକୁ ଦେଖିବା ପରେ ପଞ୍ଚମ-ଷଷ୍ଠ ଶତାବ୍ଦୀରେ କୋରାପୁଟ ଅଞ୍ଚଳ ଜୈନ ସଭ୍ୟତା ସହିତ ଥାଇପାରେ ବୋଲି ଜିଲ୍ଲାର ବିଶିଷ୍ଟ ପର୍ଯ୍ୟଟନ ଗାଇଡ଼ ତଥା ଜୈନ ସଭ୍ୟତା ଉପରେ ଗବେଷଣା ଜାରି ରଖିଥିବା ଶରତ ରାଉତରାୟ ମତ ରଖିଛନ୍ତି । ସୁବାଇଠାରେ ଥିବା ପ୍ରସିଦ୍ଧ ଜୈନ କୀର୍ତ୍ତିରାଜି ମଧ୍ୟରେ ଜୈନ ତୀର୍ଥଙ୍କରଙ୍କ ସହ ସମ୍ପର୍କିତ ଚକ୍ରେଶ୍ୱରୀ ଦେବୀଙ୍କ ମଧ୍ୟ ଚବିଶ ଭୁଜା ଥିବା କାରଣରୁ କାଳିଆଗାଁରେ ପୂଜା ପାଉଥିବା ଷୋଳଭୂଜା ମଧ୍ୟ ଚକ୍ରେଶ୍ୱରୀ ହୋଇଥାଇ ପାରନ୍ତି ବୋଲି ଶରତ ରାଉତରାଏ ଆଶାପୋଷଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ପାତାଳୀ ଶ୍ରୀକ୍ଷେତ୍ରକୁ ତୁଳସୀ ରଥରେ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ
କୋରାପୁଟ ଜିଲ୍ଲାର ସୁବାଇ, ନନ୍ଦପୁର, କେଚେଲା ଓ ବିସିଂପୁର ପ୍ରଭୃତି ଅଞ୍ଚଳରେ ଦେଖାଯାଉଥିବା ଜୈନ ପ୍ରତିମୂର୍ତ୍ତି ବହୁ ପୂର୍ବେ ଜୈନ ଧର୍ମର ଦୃଢ଼ ଉପସ୍ଥିତି ଆଡକୁ ଇଙ୍ଗିତ କରୁଛି । ଏହି ମୂର୍ତ୍ତି ଗୁଡିକର ବୟସର ଆକଳନ କରାଯାଇପାରୁନଥିଲେବି ଏହା ବହୁ ପୁରାତନ ତାହା କାରୁକାର୍ଯ୍ୟକୁ ଦେଖିଲେ ଜଣାପଡୁଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ହେଉ ବା ବିଶ୍ୱବିଦ୍ୟାଳୟ ଗୁଡିକ ଦ୍ୱାରା ଏହି ମୂର୍ତ୍ତି ଗୁଡିକର ଇତିହାସ ସମ୍ପର୍କରେ ଗବେଷଣା କରାଗଲେ ଏହି ଅଞ୍ଚଳର ଜୈନ ଧର୍ମ ସହିତ ଥିବା ସମ୍ପର୍କକୁ ଉଜାଗର କରିହୁଅନ୍ତା ବୋଲି ଗବେଷକ ମତ ରଖିଛନ୍ତି ।
ଇଟିଭି ଭାରତ, କୋରାପୁଟ