କେନ୍ଦ୍ରାପଡା: ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରଙ୍ଗଣୀ ପଞ୍ଚାୟତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଗତ ତିନିଦିନ ହେବ ମୃତଦେହ ରଖା ଯାଉଥିବା କୋଠରୀରେ ପଡି଼ ରହିଛି ମହିଳାଙ୍କ ମୃତଦେହ । ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରଙ୍ଗଣୀ ପଞ୍ଚାୟତ ଅମରାବତୀ ଗ୍ରାମର ରାଜେଶ ମାଇତିଙ୍କ ସ୍ତ୍ରୀ ସୁବାସିନୀ ମାଇତି(୨୩)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପୂର୍ବରୁ ଗୁରୁବାର ସୁବାସିନୀ ତାଙ୍କ ବାପାଙ୍କ ସହିତ ଫୋନରେ କଥା ହୋଇଥିଲା।
ପରବର୍ତ୍ତୀ ସମୟରେ ସେ ଜୀବନ ହାରିଥିବା କଥା ଶାଶୁଘର ପକ୍ଷରୁ କୁହାଯାଇଥିଲା । ମାତ୍ର ସୁବାସିନୀ ତାଙ୍କ ବାପାଙ୍କ ସହିତ ଫୋନରେ କଥା ହେବାବେଳେ ସ୍ୱାମୀ ରାଜେଶ ସୁବାଷିନୀଙ୍କ ବାପା ମଣିଧର ମଣ୍ଡଳଙ୍କୁ ତୁମର ଖଳ ପ୍ରକୃତିର ଝିଅକୁ ଏଠୁ ନେଇଯାଅ ବୋଲି କହିଥିଲେ । ୯ ତାରିଖ ରାତି ପ୍ରାୟ ୧୧ଟା ସମୟରେ ସୁବାସିନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଚିକିତ୍ସା ପାଇଁ ଆସିବା ପରେ ସୁବାସିନୀଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଗୁରୁବାର ମଧ୍ୟରାତିରୁ ସୁବାସିନୀ ମୃତ୍ୟୁ ବରଣ କରିଥିଲେ ମଧ୍ୟ ୩ ଦିନ ହେବ ମେଡିକାଲର ମୃତଦେହ ରଖା ଯାଉଥିବା କୋଠରୀରେ ମୃତଦେହ ପଡିରହିଛି । ଅପରପକ୍ଷରେ ତାଳଚୁଆ ସାମୁଦ୍ରିକ ଥାନାରେ ଗତ(ଶୁକ୍ରବାର) ରାତି ପର୍ଯ୍ୟନ୍ତ ଅଭିଯୋଗ ହୋଇନଥିବାରୁ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପାରିନାହିଁ । ସାମୁଦ୍ରିକ ଥାନାଧିକାରୀ ଅନାମଚରଣ ନାୟକଙ୍କୁ ପଚାରିବାରୁ ମୃତ ସୁବାସିନୀଙ୍କ ବାପଘର କିମ୍ବା ଶାଶୁଘର ପକ୍ଷରୁ କେହି ଅଭିଯୋଗ ନକରିବାରୁ ସନ୍ଧ୍ୟାରେ ସେ ତାଙ୍କ ବାପାଙ୍କୁ ଭେଟି ଅଭିଯୋଗ କରିବାକୁ କହିଛନ୍ତି ବୋଲି ସୂଚନା ଦେଇଛନ୍ତି ।
ସୂଚନା ଥାଉକି ମୃତ ସୁବାସିନୀଙ୍କର ଅଢେଇବର୍ଷର ପୁଅଟିଏ ଅଛି । ୨୦୧୮ ମସିହା ମାର୍ଚ୍ଚ ମାସରେ ଏହି ବ୍ଲକ କୃଷ୍ଣନଗର ପଚାଂୟତ ବାଘୁଆ ଗ୍ରାମର ମଣିଧର ମଣ୍ଡଳଙ୍କ ଝିଅ ସୁବାସିନୀ ରଙ୍ଗଣୀ ପଞ୍ଚାୟତ ଅମରାବତୀ ଗ୍ରାମର ରାଜେଶ ମାଇତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର କିପରି ମୃତ୍ୟୁ ହୋଇଛନ୍ତି ତାହା ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି ଅନ୍ୟପଟେ ମୃତଦେହ ପଡିରହିବାକୁ ନେଇ ନାନା ମତ ଶୁଣିବାକୁ ମିଳୁଛି ।
ଇଟିଭି ଭାରତ, କେନ୍ଦ୍ରାପଡା