କୋରାପୁଟ: ଜିଲ୍ଲାରେ ପ୍ରଗତି ଭଳି ସ୍ଵେଚ୍ଛାସେବୀ ସଂଗଠନ ଗୁଡିକର ସହାୟତା ଓ ସହଯୋଗ କୋଭିଡ଼ ବିରୁଦ୍ଧରେ ସଂଗ୍ରାମକୁ ସଫଳ କରିବାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଆଜି(ବୁଧବାର) ପ୍ରଗତି ତରଫରୁ ଜିଲ୍ଲାକୁ 5ଟି ଅକ୍ସିଜେନ କନସନଟ୍ରେଟର ଦିଆଯିବା ସମୟରେ ସେ ଏହି ମନ୍ତବ୍ୟ ପ୍ରକାଶ କରିଛନ୍ତି ।
ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଦିଆଯାଉଥିବା ଅକ୍ସିଜେନ କନସନଟ୍ରେଟର ଗୁଡିକୁ କୋଭିଡ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ କୋଭିଡର ଦ୍ଵିତୀୟ ଲହରକୁ ସଫଳତାର ସହ ସାମ୍ନା କରିଥିବା ଜିଲ୍ଲା ପ୍ରଶାସନ ପାଇଁ ସ୍ଵେଚ୍ଛାସେବୀ ସଂଗଠନ ଗୁଡିକର ଏପରି ସହଯୋଗ ତୃତୀୟ ଲହରକୁ ମଧ୍ୟ ସାମ୍ନା କରିବାରେ ଶକ୍ତି ଯୋଗାଇବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହି 5ଟି ଅକ୍ସିଜେନ କନସନଟ୍ରେଟର କୋରାପୁଟ ଜିଲ୍ଲାକୁ ପ୍ରଗତି ଓ ବାଙ୍ଗାଲୋରରେ ଥିବା କୋଭିଡ କୋଲବ ନାମକ ସ୍ଵେଚ୍ଛାସେବୀ ସଂଗଠନର ନେଟୱର୍କର ମିଳିତ ପ୍ରୟାସରେ ଦିଆଯାଇଥିବା ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ