କୋରାପୁଟ: ଦୃଷ୍ଟିଶକ୍ତି ନଥାଇ ମଧ୍ୟ ନିଜ ଭବିଶ୍ୟତ ଉଜ୍ବଳ କରିବା ଦିଗରେ ଅଗ୍ରସର ହୋଇଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରକାଶ ତଲବ । ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ସେଥିପ୍ରତି ଭୃକ୍ଷେପ ନକରି ଭଲ ପାଠ ପଢିପାରୁଛନ୍ତି ସେ। ଅନ୍ୟାନ୍ୟ ସାଧାରଣ ପିଲାଙ୍କ ଭଳି ସବୁଦିନ ସ୍କୁଲକୁ ଯାଇ ଆସୁଛନ୍ତି ।
କୋରାପୁଟ ନିକଟବର୍ତ୍ତୀ ଅଞ୍ଚଳରୁ କୋଲାବ ଜଳଭଣ୍ଡାର ନିର୍ମାଣ ସମୟରେ କୋଟପାଡର ବିଭିନ୍ନ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଗୋଟିଏ ହେଉଛି ପ୍ରକାଶଙ୍କ ପରିବାର । ବିସ୍ଥାପିତଙ୍କ କଲୋନୀ ନମ୍ବର 7ରେ ଗତ ତିରିଶ ବର୍ଷ ହେବ ଜୀବନ ଅତିବାହିତ କରିଆସୁଛନ୍ତି ପ୍ରକାଶଙ୍କ ପିତାମାତା । ବିସ୍ଥାପିତ ହୋଇ ଆସିଥିବା ଏହି ପରିବାର ପାଇଁ ଜୀବନ ଜୀବିକାର ବୋଝଠାରୁ ଏକମାତ୍ର ପୁଅ ପ୍ରକାଶର ଭବିଷ୍ୟତର ଚିନ୍ତା ଅଧିକ ଥିଲା ।
କିନ୍ତୁ ବିସ୍ଥାପିତ କଲୋନୀ ନମ୍ବର 7ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରକାଶ ପାଠ ପଢିବା ଆରମ୍ଭ କରିବା ପରେ ପରିବାରର ଚିନ୍ତା ଦୂର ହୋଇଯାଇଥିଲା । ଶୋଭା ସଂଗଠନ ଦ୍ବାରା ସ୍ବତନ୍ତ୍ର ଭାବେ ତାଲିମ ପାଇଥିବା ଶିକ୍ଷକ ମାନେ ପ୍ରକାଶର ପାଠପଢ଼ା ପ୍ରତି ବିଶେଷ ଦୃଷ୍ଟି ଦେବା ସହ ବ୍ରେଲରେ ଲେଖିବା ଓ ପଢିବା ନେଇ ତାର ଦକ୍ଷତା ବୃଦ୍ଧି କରାଇଛନ୍ତି ।
ବର୍ତମାନ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରକାଶ ଶୋଭା ଦ୍ବାରା ଦିଆଯାଇଥିବା ଡିଜି ରେକର୍ଡର ଓ ପ୍ଲେୟର ଦ୍ବାରା ବିଦ୍ୟାଳୟରେ ପଢ଼ାଯାଉଥିବା ସମସ୍ତ ପାଠକୁ ପୁଣିଥରେ ଶୁଣିବାର ସୁବିଧା ପାଉଥିବା ଜଣାଇଛନ୍ତି । କେବଳ ସେତିକି ନୁହେଁ । ପ୍ରକାଶର ଅଧ୍ୟବସାୟ ଓ ଆଗକୁ ବଢିବାର ପ୍ରବଳ ଇଛାଶକ୍ତିକୁ ଦେଖି ତାଙ୍କର ଜଣେ ସହପାଠୀ ବାଲେଶ ଅର୍ଲବ ଶ୍ରେଣୀ ଗୃହଠାରୁ ଆରମ୍ଭ କରି ଘରୁ ଵିଦ୍ୟାଳୟକୁ ଯିବା ଆସିବାରେ ପ୍ରକାଶଙ୍କୁ ସହଯୋଗ କରନ୍ତି ।
ଯେତେ କାମକୁ ଯାଇଥିଲେ ବି ସନ୍ଧ୍ୟା ହେଲେ ପୁଅର ଫେରନ୍ତା ସମୟକୁ ଅପେକ୍ଷା କରି ମା' ଭାନୁ ତଲବ ତାକୁ ରାସ୍ତାରୁ ଘରକୁ ନେଇ ଆସନ୍ତି । ସମସ୍ତଙ୍କ ସହଯୋଗରେ ପ୍ରକାଶଙ୍କ ଦୁନିଆଁ ଆଲୋକିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ