କୋରାପୁଟ: ଠିକାଦାରର ଗୁଣ୍ଡାରାଜ ବିରୋଧରେ ପୋଲିସ ଓ ପ୍ରଶାସନର ଅଣଦେଖାକୁ ବିରୋଧ କରି ଦାମନଯୋଡିର ନାଲକୋ ପ୍ଲାଣ୍ଟ କଡରେ ଥିବା ଆମ୍ବଗାଁ ବାସୀ ବୁଧବାର ଗାଁ ଛାଡିଛନ୍ତି। ନାଲକୋ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ କରାଯିବା ପରେ ଗ୍ରାମବାସୀଙ୍କୁ ଉଚିତ କ୍ଷତିପୂରଣ ଓ ବେକାର ଯୁବଗୋଷ୍ଠୀଙ୍କୁ ଚାକିରୀ ଯୋଗାଇଦେବା ଦାବି କରି ଗ୍ରାମବାସୀ ଅନେକ ବର୍ଷ ଧରି ଆନ୍ଦୋଳନ କରିଆସୁଛନ୍ତି।
କିନ୍ତୁ ସେମାନଙ୍କ ଦାବିକୁ ଅଣଦେଖା କରି ନାଲକୋ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଜମି ଉପର ଦେଇ ପାଚେରୀ ନିର୍ମାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପାଚେରୀ ନିର୍ମାଣକୁ ପାରୁପର୍ଯ୍ୟନ୍ତ ବିରୋଧ କରୁଥିବା ହେତୁ ଅନେକ ଥର ପାଚେରୀ ନିର୍ମାଣ କରୁଥିବା ଠିକାଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ହୋଇ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।
କିନ୍ତୁ ଦିନକୁ ଦିନ ଠିକାଦାରଙ୍କ ଗୁଣ୍ଡାରାଜ ବଢି ଚାଲିଥିଲେ ବି ପୋଲିସ କିମ୍ବା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ପରିବାର ସଦସ୍ୟଙ୍କ ସହିତ ସମ୍ପୂର୍ଣ୍ଣ ଗାଁ, କମ୍ପାନୀ ଦ୍ୱାରା ତିଆରି ହେଉଥିବା ପାଚେରୀ ନିକଟକୁ ଆସି ଦିନ ତମାମ ବସି ରହିଥିଲେ। ତାଙ୍କ ସହିତ କୌଣସି ପ୍ରଶାସନିକ ଅଧିକାରୀ କଥା ହେବା ପାଇଁ ନ ଆସିବା ଯୋଗୁଁ ରାତିତମାମ ଖୋଲା ଆକାଶରେ ଅପେକ୍ଷା କରି ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯିବେ ବୋଲି ସେମାନେ ଜଣାଇଛନ୍ତି।
ପରିବାରର ଏପରି ଅପ୍ରତ୍ୟାଶିତ ସ୍ଥାନାନ୍ତର ବିଦ୍ୟାଳୟ ଯାଉଥିବା ପିଲାଙ୍କ ମନରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭରିଦେଇଛି। ତେବେ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରି ପରିସ୍ଥିତିକୁ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ସଦାସର୍ବଦା ପୋଲିସ ପ୍ରଚେଷ୍ଟା କରିଆସିଛି ବୋଲି ସୂଚନା ପ୍ରଦାନ କରିଛନ୍ତି।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ