କୋରାପୁଟ: ପ୍ରଥମେ ରେଳବାଇରେ ଓ ତା ପରେ ଜିଲ୍ଲାର ସରକାରୀ କାର୍ଯ୍ୟାଳୟରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଦୁଇ ଜଣ ଯୁବକ ଭିନ୍ନ ଭିନ୍ନ ସମୟରେ ଶିବାନୀ ପଟ୍ଟନାୟକ ନାମକ ଏକ ଯୁବତୀଙ୍କ ଠାରୁ ଟଙ୍କା ଠକି ନେଇଥିବା କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଜଣାଇଛନ୍ତି ।
ଆଜିକୁ ଚାରି ବର୍ଷ ପୂର୍ବେ 2018 ମସିହାରେ କୋରାପୁଟ ରେଳବାଇ କଲୋନୀରେ ରହୁଥିବା ଡି॰ପ୍ରସାଦ ରାଓ ନାମକ ଜଣେ ଯୁବକ ରେଳବାଇରେ ଚାକିରି କରାଇଦେବାର ଲୋଭ ଦେଖାଇ ବିଭିନ୍ନ କିସ୍ତିରେ ଏକ ଲକ୍ଷ ଟଙ୍କା ନେଇଯାଇଥିଲେ । ଅପରପକ୍ଷେ ଚାକିରି କରାଇଦେବା ନାଁରେ ଅଶୋକ କୁମାର ମହାନ୍ତି ନାମକ ଆଉ ଜଣେ ଯୁବକ ମଧ୍ୟ ଏକ ଲକ୍ଷ ଟଙ୍କା ନେଇ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ ଦେଇଥିବା ଭଳି ଏକ ନିଯୁକ୍ତିପତ୍ର ମଧ୍ୟ ଦେଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।
ତେବେ ଏହି ନିଯୁକ୍ତିପତ୍ର ନକଲି ବୋଲି ଜାଣିବା ପରେ ଶିବାନୀ ସେହି ଦୁଇଜଣ ଯୁବକଙ୍କୁ ତାଠାରୁ ନେଇଥିବା ଅର୍ଥ ଫେରାଇଦେବା ପାଇଁ ନେହୁରା ହୋଇଥିଲା । ଆଜି ଦେବି କାଲି ଦେବି କହି ବର୍ଷ ପରେ ବର୍ଷ ଗଡି ଯାଇଥିଲେ ହେଁ ହରାଇଥିବା ଅର୍ଥ ଫେରିନପାଇବାରୁ ଏବେ ଥାନାରେ ଅଭିଯୋଗ କରିବାକୁ ପଡିଲା ବୋଲି ଶିବାନୀ ସ୍ପଷ୍ଟ କରିଛନ୍ତି ।
ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରସାଦ ରାଓ, ସେ ନେଇଥିବା ଲକ୍ଷେ ଟଙ୍କାରୁ 95 ହଜାର ଟଙ୍କା ଫେରାଇଦେଇଛି । କିନ୍ତୁ ଅଶୋକ ଠାରୁ କିଛି ବି ମିଳିପାରିନଥିବା ଥାନାଧିକାରୀ ଜଣାଇଛନ୍ତି । ମିଳିଥିବା ଅର୍ଥ ଶିବାନୀଙ୍କୁ ଆଜି ଥାନାରେ ଫେରାଇଦେଇଥିବା ବେଳେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଦେଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ