କୋରାପୁଟ: ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଉତ୍ପାଦିତ ହେଉଥିବା ହଳଦୀ ଜାତୀୟ ସ୍ତରୀୟ ବଜାରରେ ହୋଇଛି ଆଦୃତ । ହଳଦୀର ପରୀକ୍ଷା ପରେ ଏଥିରେ 5ରୁ 6 ଭାଗ କୁକୁମୀନ ଥିବାରୁ ଏହାକୁ ଔଷଧ ତିଆରିରେ ବ୍ୟବହାର କରାଯିବ । ଏଥିଲାଗି IFCO ଲକ୍ଷ୍ମୀପୁର ବ୍ଲକରୁ 20 ମେଟ୍ରିକ ଟନ ହଳଦୀ କିଣିଥିବା ସୂଚନା ମିଳିଛି ।
ଗତ କିଛି ମାସ ପୂର୍ବେ ଏଠାକାର ହଳଦୀକୁ ଦେଶର ଅଗ୍ରଣୀ ପରୀକ୍ଷାଗାରକୁ ପଠାଯିବା ପରେ ଏଥିରେ ଶତକଡା 5ରୁ 6 ଭାଗ କୁକୁମୀନ ରହୁଥିବା ଜଣାପଡିବା ପରେ ଔଷଧ ତିଆରିରେ ଏହାର ଚାହିଦା ଆହୁରି ଅଧିକ ବଢିଛି । ଫଳରେ IFCO ଦ୍ଵାରା ଲକ୍ଷ୍ମୀପୁର ବ୍ଲକରୁ 20 ମେଟ୍ରିକ ଟନ ହଳଦୀ କିଣାଯାଇଥିବା ORMASAର ଜିଲ୍ଲାଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି ।
ଲକ୍ଷ୍ମୀପୁର ବ୍ଲକର ଟିମାଝୋଲା, ଚମ୍ପି, କୋନାପାଡୁ, ଲଛମଣି, ଡୂମୁରିପଦର, ପିପଲପଦର, ତୟାପୁଟ ଓ ଲକ୍ଷ୍ମୀପୁରର ଗୋଟିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ 7ଟି ଉତ୍ପାଦକ ଦଳଠାରୁ ତୟାପୁଟର ପାର୍ବତୀ SHG ମାଧ୍ୟମରେ ଏହି ସମସ୍ତ ହଳଦୀକୁ ସଂଗ୍ରହ କରାଯାଇଥିବା କାର୍ତ୍ତିକ କହିଛନ୍ତି । ଉଚ୍ଚମାନର ଉତ୍ପାଦକୁ କମ ଦାମରେ ବିକ୍ରି କରିଦେଉଥିବା ଚାଷୀ ବର୍ତ୍ତମାନ ପ୍ରତି କିଲୋ ହଳଦୀ ପାଇଁ 92 ଟଙ୍କା ପାଇ ଅତ୍ୟନ୍ତ ଖୁସି ଥିବା ପାର୍ବତୀ ମହିଳା SHGର ସଭାପତି ପାରା ମାସକା କହିଛନ୍ତି ।
ବ୍ଲକର ପ୍ରାୟ 60 ଜଣ ହଳଦୀ ଚାଷୀଙ୍କଠାରୁ ହଳଦୀ କ୍ରୟ କରିବା ପାଇଁ କାଫକୋ ତରଫରୁ 12 ଲକ୍ଷ ଟଙ୍କା ରିଭଲବିଙ୍ଗ ଫଣ୍ଡ ଭାବେ ପ୍ରଦାନ କରାଯାଇଥିବା କାଫକୋର ଅଧିକାରୀ ସାବିତ୍ରୀ ନାୟକ କହିଛନ୍ତି । ଲକ୍ଷ୍ମୀପୁର ହଳଦୀର ପରୀକ୍ଷା ହେବା ପରେ ବର୍ତ୍ତମାନ 20 ଟନ ହଳଦୀକୁ ବାଙ୍ଗାଲୋରକୁ ପଠାଯାଉଥିବା ବେଳେ ଭବିଷ୍ୟତରେ 100 ମେଟ୍ରିକ ଟନ ହଳଦୀ କ୍ରୟ କରିବାର ଲକ୍ଷ୍ୟ ରହିଥିବା ଇଫ୍କୋ କିଶାନର କର୍ମକର୍ତ୍ତା ଧାନୀଖରା ସୂଚନା ଦେଇଛନ୍ତି ।
ଲକ୍ଷ୍ମୀପୁର ହଳଦୀର ଉନ୍ନତ ମାନ ଓ ଚାଷ କରିବା ପାଇଁ ଏହି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଥିବା ଆଗ୍ରହକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ବ୍ଲକରେ ଆହୁରି ଅଧିକ ଚାଷୀ କିପରି ହଳଦୀ ଚାଷ କରି ଲାଭବାନ ହୋଇପାରିବେ ସେ ଦିଗରେ ଉଦ୍ୟମ କରାଯିବ ବୋଲି ଲକ୍ଷ୍ମୀପୁର ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ