କୋରାପୁଟ: ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନାଡିମି ଇଟିକି ଗ୍ରାମରେ ଅଭାବନୀୟ ଘଟଣା । ବିରୁଡି କାମୁଡାରେ ଚାଲିଯାଇଛି ଜଣେ କୋମଳମତି ଶିଶୁର ଜୀବନ । ଦୁଇ ଜଣ ବାଳକ ଏକ କୁଡିଆରେ ଖେଳୁଥିବା ସମୟରେ ଅଘଟଣ ଘଟିଥିବା ସୂଚନା । ବିରୁଡି କାମୁଡାରେ ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଗ୍ରାମର ବାବୁଲା ପିଡ଼ିକା(୩) ଓ ଭଉଣୀ ବାରାଲୁ ପିଡ଼ିକା(୪) କୁଡ଼ିଆରେ ଖେଳୁଥିବା ସମୟରେ ବହୁ ସଂଖ୍ୟାରେ ବିରୁଡ଼ି ଆକ୍ରମଣ କରିଥିଲା । ପିଲାମାନଙ୍କ କାନ୍ଦ ଶୁଣି କୁଡିଆ ନିକଟକୁ ଧାଇଁ ଯାଇଥିଲେ ମାଆ । ବିରୁଡି ଆକ୍ରମଣରେ ମାଆ ମଧ୍ୟ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ନାରାୟଣପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଗୁରୁତର ଶିଶୁପୁତ୍ର ବାବୁଲାର ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, କୋରାପୁଟ