କୋରାପୁଟ: କଳା ଓ ସଂସ୍କୃତିରେ ସମୃଦ୍ଧ ଓଡିଶା । ବୟନ ଶିଳ୍ପ ହେଉଛି ଏହି କଳା, ସଂସ୍କୃତି ଓ ପରମ୍ପରାର ଏକ ଅଭିନ୍ନ ଅଙ୍ଗ । ଦେଶ ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିଛି ଆମ ହସ୍ତତନ୍ତ ଓ ହସ୍ତକଳା । ଯେଉଁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ଆଦିବାସୀ ଅଞ୍ଚଳ କୋରାପୁଟ ଜିଲ୍ଲା କୋଟପାଡର ବସ୍ତ୍ର । ସୂକ୍ଷ୍ମ କାରିଗରୀ, ନିଖୁଣ ହସ୍ତକଳା ଓ ଜଙ୍ଗଲରେ ଉତ୍ପନ୍ନ ଗଛରୁ ତିଆରି ପ୍ରାକୃତିକ ରଙ୍ଗ ପାଇଁ ବେଶ ଲୋକପ୍ରିୟ କୋରାପୁଟର ଏଇ କୋଟପାଡ ବସ୍ତ୍ର । ଗୋଟିଏ ଶାଢୀ ତିଆରି କରିବାକୁ ମାସ ମାସ ଧରି ସମୟ ଲାଗିଥାଏ । ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି ଜାତୀୟ ସ୍ତରୀୟ ମେଳାରେ ସବୁଠି ସମସ୍ତଙ୍କୁ ଆକର୍ଷିତ କରିପାରିଛି କୋଟପାଡର ବସ୍ତ୍ର । 2005ରେ ଏହାକୁ ଜି ଆଇ ଟାଗ ମିଳିବା ସହ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ଓ ବିଦ୍ୟାଧର ମହନ୍ତଙ୍କ ପରି ବୁଣାକାର ଏହି କଳାକୁ ଆଦରି ବେଶ ଖ୍ୟାତି ଅର୍ଜନ କରିଛନ୍ତି ।
ବିଡ଼ମ୍ବନା କିନ୍ତୁ ଯେ, ଆଜି କୋଟପାଡର ଶାଢୀ ଓ ବସ୍ତ୍ର ଏବେ ଗହଣା ସଦୃଶ୍ୟ ପାଲଟିଛି । ପ୍ରାକୃତିକ ରଙ୍ଗ ପାଇଁ ଆବଶ୍ୟକ ହେଉଥିବା ଆଲ ଚେରର କିଣା ମୂଲ୍ୟ ଓ ଶ୍ରମ ଅଧିକ ରହିଥିବାରୁ ଅନ୍ୟ ବସ୍ତ୍ର ଠାରୁ ଏହାର ଦାମ ଆକାଶ ଛୁଆଁ ରହୁଛି । ଫଳରେ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ କିଣିବା ସମ୍ଭବ ହୋଇପାରୁନାହିଁ । କୋରାପୁଟକୁ ଆସୁଥିବା ବିଶେଷ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହି ବସ୍ତ୍ର ପ୍ରଥମ ପସନ୍ଦ । ହେଲେ ବସ୍ତ୍ର ଉପରେ ସରକାର ବିଶେଷ ଭାବେ ରିହାତି ଘୋଷଣା କରୁନଥିବା ଯୋଗୁଁ ଏହାର ବିକ୍ରି ଆଶାନୁରୂପ ହୋଇପାରୁ ନାହିଁ ବୋଲି ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ସ୍ଥାନୀୟ ବୁଣାକାର ଗୋବର୍ଦ୍ଧନ ପାନିକା କହିଛନ୍ତି।
ଅନେକ ଆଦିବାସୀ ବୁଣାକାର ସରକାରୀ ପ୍ରୋତ୍ସାହନ ଅଭାବରୁ ହସ୍ତକଳାରୁ ମୁହଁ ଫେରାଇବାରେ ଲାଗିଛନ୍ତି । ଏବେ ମାତ୍ର 25 ପରିବାର କଳାତ୍ମକ ସୃଜନୀରେ ନିୟୋଜିତ ହେଉଛନ୍ତି । ତେବେ କହିବାକୁ ଗଲେ ଏହି ବସ୍ତ୍ର ପ୍ରସ୍ତୁତିରେ ମହିଳାମାନେ ବିଶେଷ ଭାବେ କାମ କରିଥାନ୍ତି, ଏହି ଶିଳ୍ପକୁ ପ୍ରୋତ୍ସୋହନ ମିଳିଲେ ମହିଳା ସଶକ୍ତିକରଣ ଓ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅଗ୍ରଣୀ ମହିଳା ବୁଣାକାର ଜେମା ପାନିକା ମତ ରଖିଛନ୍ତି । ସେପଟେ ଏହି ଶିଳ୍ପାୟନକୁ ଇ-ବଜାରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା କହୁଛନ୍ତି ଓରମାସର ଜିଲ୍ଲା ଅଧିକାରୀ ରୋଷନ କାର୍ତ୍ତିକ । ସାମୂହିକ ଭାବେ ବୁଣାକାରଙ୍କୁ ସହଯୋଗ କରାନଗଲେ ଦିନେ ଏହି ବସ୍ତ୍ର ମ୍ୟୁଜିୟମର ଶୋଭା ବର୍ଦ୍ଧନ କରିବାର ବସ୍ତୁ ହୋଇ ରହିଯିବ ବୋଲି ଆଶଙ୍କା କରିଛନ୍ତି ସ୍ବେଚ୍ଛାସେବୀ ସାମ୍ବାମୂର୍ତ୍ତୀ ଆଚାରୀ ।
କୋରାପୁଟରୁ ସିଏଚ. ଶାନ୍ତାକାର , ଇଟିଭି ଭାରତ